ଦେଓରିଆ: ଜାଲ ପ୍ରମାଣପତ୍ର ଦାଖଲ କରି ଚାକିରି କରିବା ମାମଲା ଦିନକୁ ଦିନ ବଢିଚାଲିଥିବା ବେଳେ ଉତ୍ତରପ୍ରଦେଶରେ ଜାଲ ପ୍ରମାଣପତ୍ରର ଏପରି ଏକ ମାମଲା ସାମନାକୁ ଆସିଛି ତାହାକୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ଗୋଟିଏ ଜିଲ୍ଲାର ୮୫ ଶିକ୍ଷକ ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିଲେ, ତାହା ପୁଣି ଶିକ୍ଷକ ଚାକିରି ।
ରାଜ୍ୟର ଦେଓରିଆ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୮୫ ଜଣ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସମସ୍ତଙ୍କ ବିରୋଧରେ ଏତଲା ମଧ୍ୟ ରୁଜୁ କରାଯାଇଛି। ପ୍ରାଥମିକ ଶିକ୍ଷା ବିଭାଗ ଓ ଏସଟିଏଫ ମିଳିତ ଭାବେ ଏହାର ତଦନ୍ତ କରି ଜାଣିବାକୁ ପାଇଛି ଯେ ଜାଲ୍ ପ୍ରମାଣପତ୍ର ସାହାଯ୍ୟରେ ୮୫ରୁ ଅଧିକ ଶିକ୍ଷକଙ୍କୁ ଚାକିରି ମିଳିଥିଲା। ଦୀର୍ଘ ଦିନର ତଦନ୍ତ ବେଳେ ୮୫ ଜଣ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ଆହୁରି ଅନେକ ଶିକ୍ଷକଙ୍କ ଉପରେ ଖଣ୍ଡା ମଧ୍ୟ ଝୁଲୁଛି। ଏହି ସମସ୍ତ ନକଲି ଶିକ୍ଷକ ସରକାରଙ୍କଠାରୁ ୨୫ କୋଟିରୁ ଅଧିକ ଦରମା ନେଇଛନ୍ତି।
ପ୍ରାଥମିକ ଶିକ୍ଷା ଅଧିକାରୀ ଶାଳିନୀ ଶ୍ରୀବାସ୍ତବ କହିଛନ୍ତି ଯେ ସମସ୍ତ ଶିକ୍ଷକଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି ଏବଂ ୨୫ କୋଟିରୁ ଅଧିକ ଟଙ୍କାର ରିକୋଭରି ଜାରି କରାଯାଇଛି। ଖୁବଶୀଘ୍ର ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଚାକିରି ପାଇଥିବା ସମସ୍ତ ଶିକ୍ଷକଙ୍କ ସାର୍ଟିଫିକେଟ୍ ନକଲି ବୋଲି ଜଣାପଡ଼ିଛି। ଏସବୁ ଶିକ୍ଷକମାନେ ୧୯୯୯ ପରଠାରୁ ବିଭିନ୍ନ ସମୟରେ ଏସବୁ ଚାକିରିରେ ଯୋଗ ଦେଇଥିଲେ ।