ଭୁବନେଶ୍ବର: ୭ଟି ପ୍ରକଳ୍ପକୁ ୫୫ହଜାର ୭୮୩ କୋଟି ଟଙ୍କାର ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୩ତମ ଉଚ୍ଚସ୍ତରୀୟ କ୍ଲିୟରାନସ ଅଥରିଟି ବୈଠକରେ ଏହାକୁ ଅନୁମୋଦନ ମିଳିଛି । ୭ ଟି ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ୧୪ହଜାର ୫୦୭ଜଣ ଯୁବକଯୁବତୀଙ୍କ ପାଇଁ ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଢେଙ୍କାନାଳରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବ । JSW ଗ୍ରୁପ୍ ପକ୍ଷରୁ ୩୫ହଜାର କୋଟି ଟଙ୍କା ବ୍ୟୟରେ ଏକ ବଡ଼ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ। ଏଥିରେ ୮,୦୦୦ ଲୋକଙ୍କୁ ଚାକିରି ମିଳିବ। ଗଞ୍ଜାମରେ ବିରଳ ମୃତ୍ତିକା ଶିଳ୍ପ ପ୍ରତିଷ୍ଠା ହେବ। ଜିନ୍ଦଲ ପଲି ଫିଲ୍ମସ ପକ୍ଷରୁ ୧୨ହଜାର କୋଟି ଟଙ୍କା ନିବେଶରେ ଏକ କାରଖାନା ହେବ, ଯାହା ୪,୦୦୦ ଲୋକଙ୍କୁ କାମ ଯୋଗାଇବ। ଗଞ୍ଜାମରେ ଅଟୋ ପାର୍ଟସ କାରଖାନାକୁ ମିଳିଛି ମଞ୍ଜୁରୀ । ଟାୟାର ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ତିଆରି ପାଇଁ ୧,୬୯୭ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଖୋର୍ଦ୍ଧାରେ ଆଧୁନିକ ବୈଷୟିକ ଜ୍ଞାନକୌଶଳରେ ସେମିକଣ୍ଡକ୍ଟର ତିଆରି ପାଇଁ ୧,୬୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଢେଙ୍କାନାଳରେ ଗ୍ୟାସ ପ୍ଲାଣ୍ଟ ଓ ବିଦ୍ୟୁତ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ । ଇନୋକ୍ସ ଏୟାର ପ୍ରଡକ୍ଟସ ପକ୍ଷରୁ ଏକହଜାର ୩ଶହ କୋଟିର ଗ୍ୟାସ ପ୍ଲାଣ୍ଟ ଏବଂ GMR ପକ୍ଷରୁ ୨ହଜାର ୧୩୬ କୋଟି ଟଙ୍କାରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ହେବ । କେନ୍ଦୁଝରରେ ୨ହଜାର କୋଟି ଟଙ୍କା ବ୍ୟୟରେ ଫେରୋ ଆଲଏଜ କାରଖାନା ପ୍ରତିଷ୍ଠା ହେବ।









