ଭୁବନେଶ୍ୱର: ଆଜି ଅନୁଷ୍ଠିତ ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଗାମୀ ନିର୍ବାଚନ ପୂର୍ବରୁ ଗୁରୁତ୍ଵ ରଖୁଥିବାବେଳେ ସମସ୍ତଙ୍କ ନଜର ଥିଲା ଆଇଏଏସ୍ ଚାକିରି ଛାଡ଼ି ବିଜୁ ଜନତା ଦଳରେ ଯୋଗଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକାନ୍ତ ବିଶ୍ୱସ୍ତ ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ତାଙ୍କୁ ଦଳୀୟ ସଙ୍ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିପାରେ ବୋଲି ସମସ୍ତେ ଅନୁମାନ କରୁଥିଲେ । ଦଳର ସଭାପତିଙ୍କ ମୁହଁରୁ ଏଭଳି କିଛି ଘୋଷଣା ହୋଇପାରେ ବୋଲି ସବୁ ମହଲରୁ ଅପେକ୍ଷା ଥିଲା । ମାତ୍ର ସେଭଳି କିଛି ହୋଇନାହିଁ । ଅଫିସରରୁ ରାଜନେତା ବନିଥିବା ପାଣ୍ଡିଆନ୍ ବିଜେଡିର ଜଣେ କର୍ମୀ ଭାବେ ଆଜି ଦଳର କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇଥିଲେ ।
ଖାଲି ସେତିକି ନୁହେଁ, ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ବିଜେଡି ନେତା ଓ କର୍ମୀଙ୍କୁ ସମ୍ବୋଧିତ କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଁ ୨୦୨୪ରେ ନିର୍ବାଚନ ଲଢ଼ିବି ନାହିଁ । ଜନସେବା ହେଉଛି ମୋର ଲକ୍ଷ୍ୟ । ବିଜୁ ବାବୁ ଓ ନବୀନ ବାବୁଙ୍କ ପ୍ରତି ଥିବା ଲୋକଙ୍କ ଭଲ ପାଇବା ମୁଁ ଦେଖିଛି । ସେମାନଙ୍କ ଆଦର୍ଶ ଓ ନେତୃତ୍ୱ ମୋତେ ଅନୁପ୍ରାଣିତ କରିଛି । ଶ୍ରୀ ଜଗନ୍ନାଥଙ୍କ ପ୍ରତି ମୋର ଅଗାଢ଼ ବିଶ୍ୱାସ ରହିଛି । ଯେଉଁଥିପାଇଁ ପ୍ରତି ଶନିବାର ମୁଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଛି । ଶ୍ରୀଜଗନ୍ନାଥଙ୍କ କୃପା ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପ୍ରତି ରହିଛି । ସେଥିପାଇଁ ପରିକ୍ରମା ପ୍ରକଳ୍ପ ସୁରୁଖୁରୁରେ ଚାଲିଛି । ମୁଁ କ୍ଷମତା ପାଇଁ ଆସିନି, ସେବା ପାଇଁ ଆସିଛି ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ ।