February 26, 2026 4:02 pm

ନୂଆ ବର୍ଷରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର:ଆରମ୍ଭ ହେବ ନୂଆ ବର୍ଷ ୨୦୨୬ । ଏଥିପାଇଁ ୩୧ ତାରିଖ ରାତିରୁ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ ରହିବ । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ବଡ ଦିନ ଡିସେମ୍ବର ୨୫ ତାରିଖ ପୂର୍ବରୁ ପ୍ରସ୍ତୁତି ଜାରି ରହିଛି । ଏହି ପରିପ୍ରେକ୍ଷୀରେ ନୂଆ ବର୍ଷରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଶୃଙ୍ଖଳିତ ଦର୍ଶନ ନିମନ୍ତେ କିପରି ପ୍ରସ୍ତୁତି ରହିଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ମଙ୍ଗଳ ବାର ଦିନ ଲୋକସେବା ଭବନରେ ଆୟୋଜିତ ଏକ ବୈଠକରେ ସମୀକ୍ଷା କରିଥିଲେ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ପାଢ଼ୀ କହିଥିଲେ ଯେ ଶ୍ରୀମନ୍ଦିର ନୀତି କାନ୍ତି ଅନୁଯାୟୀ ଡିସେମ୍ବର ୩୧ ତାରିଖ ରାତି ୧୧ ଟାଠାରୁ ଶ୍ରୀଜିଉମାନଙ୍କ ରାତି ପହୁଡ ନୀତି ଆରମ୍ଭ ହୋଇ ରାତି ୨ ଟା ପର୍ଯ୍ୟନ୍ତ ୩ ଘଣ୍ଟା ଧରି ଏହା ବଳବତ୍ତର ରହିବ । ରାତି ୨ଟାରେ ଶ୍ରୀଜୀଉମାନଙ୍କ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇ ଭକ୍ତଙ୍କ ପାଇଁ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ରହିବ । ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମ ପ୍ରଚାରପ୍ରସାର ପାଇଁ ସୂଚନା ଦିଆଯାଇଛି । ଜନସାଧାରଣ ଯେପରି ଏ ସଂପର୍କରେ ଭଲଭାବେ ସୂଚନା ପାଇବେ, ଏହାକୁ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଜାନୁଆରୀ ୧ ତାରିଖରେ ନୂଆ ବର୍ଷ ଓ ପରବର୍ତ୍ତୀ ଦିନମାନଙ୍କରେ ଅନ୍ୟ ପର୍ବପର୍ବାଣୀ ଏବଂ ଜାନୁଆରୀ ୪ ତାରିଖରେ ରବିବାର ପଡୁଥିବାରୁ ଏହି ଦିନ ମଧ୍ୟରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଦର୍ଶନ ପାଇଁ ଜନଗହଳି ଲାଗିରହିବ । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପ୍ରଶାସନ ତରଫରୁ ସମସ୍ତ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ମନ୍ଦିର ଭିତରେ ଓ ବାହାରେ ସିସିଟିଭି ବ୍ୟବସ୍ଥା, ବ୍ୟାପକ ପୁଲିସ୍ ମୁତୟନ, ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଅଧିକ ଜୋତା ଷ୍ଟାଣ୍ଡ , ସୁବିଧାରେ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ବ୍ୟାପକ ସୂଚନା ବ୍ୟବସ୍ଥା ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଅଧିକ ସଂଖ୍ୟକ ଏନସିସି ଓ ସ୍ଥାନୀୟ ସ୍ୱଚ୍ଛାସେବୀ ମୁତୟନ ରହିବେ । ବିଭିନ୍ନ ସ୍ଥାନରେ କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମ ହେବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା l