ଭୁବନେଶ୍ବର: ଆଜି ପବିତ୍ର ଅଶୋକାଷ୍ଟମୀ। ଏହି ଅବସରରେ ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବିଶ୍ୱପ୍ରସିଦ୍ଧ ‘ଅଣଲେଉଟା’ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କୁ ସ୍ୱାଗତ କରିବା ପାଇଁ ରଥ ଓ ପଥ ଉଭୟ ପ୍ରସ୍ତୁତ ଥିବାବେଳେ ସମଗ୍ର ଏକାମ୍ର କ୍ଷେତ୍ର ଏବେ ଭକ୍ତମୟ ହୋଇଉଠିଛି। ଭୋର ୪ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସମାପନ ପରେ ଶ୍ରଦ୍ଧାଳୁଙ୍କ ପାଇଁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ଏହାପରେ ମହାସ୍ନାନ, ସୂର୍ଯ୍ୟପୂଜା ଓ ବେଶ ନୀତି ସମ୍ପନ୍ନ ହୋଇଯାଇଛି। ବର୍ତ୍ତମାନ ସକାଳ ଧୂପ ସହ ଯାତ୍ରା ପୂଜା ନୀତି ଜାରି ରହିଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ଯାତ୍ରା ପୂଜା ପରେ ମହାପ୍ରଭୁଙ୍କ ଭବ୍ୟ ପହଣ୍ଡି ବିଜେ ଅନୁଷ୍ଠିତ ହେବ। ଶ୍ରୀଜିଉ ରଥାରୂଢ଼ ହେବା ପରେ ରଥ ଉପରେ ଅନ୍ୟାନ୍ୟ ପୂଜାର୍ଚ୍ଚନା କରାଯିବ ଏବଂ ଅପରାହ୍ନରେ ରଥଟଣା ଆରମ୍ଭ ହେବ। ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।









