ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ବିଭିନ୍ନ ଅଞ୍ଚଳ ସମେତ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ, ବ୍ରାହ୍ମଣୀ ଏବଂ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି । ଏଥିମଧ୍ୟରୁ ବୈତରଣୀ ଏବଂ ସୁବର୍ଣ୍ଣରେଖାରେ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଥିବା ବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକର ଧାମନଗରରେ ୨ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସୋମବାର ଓ ମଙ୍ଗଳବାର ବନ୍ଦ ରହିବ ସ୍କୁଲ । ଚଳିତ ବର୍ଷ ସୁବର୍ଣ୍ଣରେଖାରେ ଏହା ପଞ୍ଚମ ବନ୍ୟା । ସୁବର୍ଣ୍ଣରେଖାରେ ଛୋଟରୁ ମଧ୍ୟମ ଓ ବୈତରଣୀରେ ଛୋଟ ଧରଣରେ ବନ୍ୟା ହୋଇଛି । ବିଗତ କିଛି ଦିନରୁ ଲଗାଣ ବର୍ଷା ହେଉଛି । ଗତ୨୪ ଘଣ୍ଟାରେ କେନ୍ଦୁଝର ଓ ଝାଡ଼ଖଣ୍ଡରେ ୨୪.୫ ୭ ମିମି ବର୍ଷା ହୋଇଛି । ଉପର ବ୍ରାହ୍ମଣୀରେ ୩୫ ମିମି ବର୍ଷା ହୋଇଛି ଏବଂ ଉପର ମହାନଦୀରେ୩୧ମିମି ବର୍ଷା ହୋଇଛି। ଯାହା ପ୍ରଭାବରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବଂଶଧରା ଓ ବୁଢାବଳଙ୍ଗରେ ପାଣି ଅଧିକ ଥିଲେ ବି କମିଯିବ । ବୈତରଣୀରେ ଗତକାଲି ଠାରୁ ବନ୍ୟା ହୋଇଛି । ସୁବର୍ଣ୍ଣରେଖାରେ ବର୍ତ୍ତମାନ ରାଜଘାଟଠାରେ ବିପଦ ସଙ୍କେତ ଉପରେ ଜଳ ପ୍ରଭାହିତ ହେଉଛି ।









