December 6, 2025 6:33 pm

ଅନଲାଇନ ଗେମିଂ ଆପ ଉପରେ ଲାଗିବ ରୋକ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଡିଜିଟାଲ ଗେମିଂ ସେକ୍ଟର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଓ ଅନଲାଇନ ବେଟିଂ ଉପରେ ସଂପୂର୍ଣ୍ଣ ରୋକ ଲଗାଇବା ପାଇଁ ସରକାର ଏହି ବିଲ ଆଣିବେ। ଏହି ବିଲ ଅଧୀନରେ ସମସ୍ତ ଟଙ୍କା ଲଗାଣକାରୀ ଗେମିଂ ନେଣଦେଣ ଉପରେ ରୋକ ଲାଗିବ। ଅର୍ଥାତ ଗେମିଂ ଆପ ଜରିଆରେ କେହି ବି ଟଙ୍କା ଉଠାଇ ପାରିବେ ନାହିଁ କିମ୍ବା ଲଗାଇ ପାରିବେ ନାହିଁ। ପ୍ରସ୍ତାବିତ ରେଗୁଲେସନ ଆଣ୍ଡ ପ୍ରମୋସନ ଅଫ ଅନଲାଇନ ଗେମିଂ ଆକ୍ଟରେ ବ୍ୟାଙ୍କ କିମ୍ବା କୌଣସି ଆର୍ଥିକ ଅନୁଷ୍ଠାନ ଅନଲାଇନ ଗେମ୍ସରେ ପାଣ୍ଠି ସ୍ଥାନାନ୍ତର କରିବାକୁ ଅନୁମତି ପାଇବେ ନାହିଁ। ଅନଲାଇନ ଗେମ ଜରିଆରେ ପ୍ରକୃତ ଟଙ୍କା କେହି ବି ହାସଲ କରିପାରିବେ ନାହିଁ। ରିୟଲ ମନି ଗେମିଂର ବିଜ୍ଞାପନ ଉପରେ ସଂପୂର୍ଣ୍ଣ ରୋକ ଲଗାଇବାକୁ ଏଥିରେ ବ୍ୟବସ୍ଥା କରାଯାଇଛି। ଇ-ସ୍ପୋର୍ଟସ ଓ ଅଣ ଟଙ୍କା ଲଗାଣକାରୀ ଦକ୍ଷତା ବୃଦ୍ଧି ଭିତ୍ତିକ ଗେମସକୁ ପ୍ରମୋସନ ପାଇଁ ମଧ୍ୟ ବିଲରେ ପ୍ରସ୍ତାବ ଦିଆଯାଇଛି। ଏହାବାଦ ଅଣପଞ୍ଜିକୃତ କିମ୍ବା ବେଆଇନ ଗେମିଂ ପ୍ଲାଟଫର୍ମ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରାବଧାନ ବିଲରେ ରହିଛି। ଏହି ବିଧେୟକକୁ ସରକାର ବୁଧବାର ଲୋକସଭାରେ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ୨୦୨୩ ଅକ୍ଟୋବର ମାସରେ ସରକାର ଅନଲାଇନ ଗେମିଂ ଉପରେ ୨୮% ଜିଏସଟି ଲଗାଇବା ଦିନ ଠାରୁ ଏହା ସ୍କାନରରେ ରହିଛି। ୨୦୨୫ ଆର୍ଥିକ ବର୍ଷ ଠାରୁ ଅନଲାଇନ ଗେମରୁ ଜିତୁଥିବା ଅର୍ଥ ଉପରେ ୩୦% ଟିକସ ଲାଗୁ କରାଯାଉଛି। ବିଦେଶୀ ଗେମିଂ ଅପରେଟରମାନଙ୍କୁ ଭାରତୀୟ ଟିକସ ବ୍ୟବସ୍ଥାକୁ ମଧ୍ୟ ଅଣା ଯାଇଛି। ୨୦୨୩ ଡିସେମ୍ବର ମାସରେ ଭାରତୀୟ ନ୍ୟାୟ ସଂହିତା ଅଧୀନରେ ଅନପଞ୍ଜିକୃତ ବେଟିଂକୁ ଅପରାଧିକ କାର୍ଯ୍ୟକଳାପ ଭାବେ ବିବେଚନା କରାଯିବା ସହ ୭ ବର୍ଷର ଜେଲଦଣ୍ଡ ସହ ଜୋରିମାନାର ବ୍ୟବସ୍ଥା ହୋଇଛି।