Nababharat News

ଆଜିଠାରୁ ଆରମ୍ଭ ହେବ ୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍

ଭୁବନେଶ୍ୱର: ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପର ଆୟୋଜନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଆଥଲେଟିକ୍ସ ସେଣ୍ଟରରେ କରାଯିବ। ଅନ୍ତର୍ଜାତୀୟ ଟେବୁଲ ଟେନିସ୍‌ ମହାସଂଘ, ଭାରତୀୟ ଟେବୁଲ ଟେନିସ୍ ମହାସଂଘ, ଏସିଆନ୍‌ ଟେବୁଲ ଟେନିସ୍ ୟୁନିୟନ, ଓଡ଼ିଶା ଟେବୁଲ ଟେନିସ୍ ଆସୋସିଏସନ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜନ ହେବ। ଦୀର୍ଘ ୧୬ ବର୍ଷ ପରେ ଭାରତରେ ଏସୀୟ ଟେବୁଲ ଟେନିସ୍‌ ଚାମ୍ପିୟନସିପର ଆୟୋଜନ କରାଯାଉଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ୍ ଆୟୋଜିତ ହେଉଛି।

୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପରେ ପ୍ରାୟ ୨୨ଟି ଦେଶ ଯଥା ଭାରତ, ଚୀନ, ଜାପାନ, କୋରିଆ ରିପବ୍ଲିକ, ଡେମୋକ୍ରାଟିକ ପିପୁଲ୍ସ ରିପବ୍ଲିକ ଅଫ କୋରିଆ, ତାଇୱାନ, ହଙ୍ଗକଙ୍ଗ, ସିଙ୍ଗାପୁର, ଚାଇନିଜ ମକାଓ, ବାଙ୍ଗଲାଦେଶ, ଇରାନ, କଜାକିସ୍ତାନ, କିର୍ଗୀସ୍ତାନ, ମାଲେସିଆ, ମାଳଦୀପ, ମଙ୍ଗୋଲିଆ, ନେପାଳ, ଓମାନ, କତାର, ଶ୍ରୀଲଙ୍କା, ଥାଇଲାଣ୍ଡ, ଉଜବେକିସ୍ତାନରୁ ୫୦୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍‌, ସପୋର୍ଟ ଷ୍ଟାଫ ଆଦି ଅଂଶଗ୍ରହଣ କରିଛନ୍ତି। ଉଭୟ ପୁରୁଷ ଓ ମହିଳା ଟିମ୍ ଏହି ଚାମ୍ପିୟନସିପ୍‌ରେ ଅଂଶଗ୍ରହଣ କରୁଛନ୍ତି। ଏହି ଚାମ୍ପିୟନସିପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଟିମ୍ ଗୁଡ଼ିକ ଆଗାମୀ ଦିନରେ ଲଣ୍ଡନରେ ଆୟୋଜିତ ହେବାକୁ ଥିବା ଆଇଆଇଟିଏଫ ୱାର୍ଲଡ଼ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍-୨୦୨୬ ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

Exit mobile version