Nababharat News

ବିଜେପି ମଣ୍ଡଳ ସଭାପତିଙ୍କୁ ସଂଘବଦ୍ଧ ମାରଣାନ୍ତକ ଆକ୍ରମଣ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଘାଷିବିଲି ନିକଟସ୍ଥ ଏକ ନିର୍ଜନ ସ୍ଥାନରେ ବିଜେପି ନେତା କାଳିଆ ନାହାକଙ୍କୁ ସଂଘବଦ୍ଧ ମାରଣାନ୍ତକ ଆକ୍ରମଣ ହୋଇଛି। କାଳିଆ ହରିଡ଼ାପଦର ମଣ୍ଡଳ ବିଜେପି ସଭାପତି ଭାବେ ଦାୟିତ୍ୱ ତୁଲାଉଛନ୍ତି। ଆକ୍ରମଣକାରୀମାନେ ତାଙ୍କୁ ମୃତ ଭାବି ଘଟଣାସ୍ଥଳରୁ ଫରାର୍ ହୋଇଯାଇଛନ୍ତି। ସୂଚନାଯୋଗ୍ୟ ଯେ, କାଳିଆ ଆସିକାରୁ ନିଜ ଗାଁ ଗୌଡ଼ଗୋଠକୁ ମୋଟରସାଇକେଲ୍‌ରେ ଫେରୁଥିବା ବେଳେ ପୂର୍ବରୁ ଛକି ରହିଥିବା କିଛି ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲେ। ରାସ୍ତା କଡ଼ରେ ସେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଆସିକା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି (MKCG) ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଧରାକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନ୍‌ଭିନ୍ ଚଲାଇଛି।

Exit mobile version