Nababharat News

ଆସନ୍ତା କାଲି କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ଇଣ୍ଡିଆ ଲିଗ୍ ର ଶେଷ ପର୍ଯ୍ୟାୟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୧୭ ତାରିଖରୁ ପୁରୁଷ ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ) ର ଶେଷ ପର୍ଯ୍ୟାୟ ଖେଳାଯିବ। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦଳମାନେ ବି ପହଞ୍ଚି ସାରିଛନ୍ତି । ଆସନ୍ତା କାଲି ୨ଟି ମ୍ୟାଚ ରହିଛି । ପ୍ରଥମ ମ୍ୟାଚ୍ ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ଏବଂ ଦ୍ୱିତୀୟ ମ୍ୟାଚ କଳିଙ୍ଗ ଲାନସର୍ସ ଓ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ଖେଳାଯିବ । ଚେନ୍ନାଇ ପରେ ଏବେ ରାଞ୍ଚିରେ ଏଚ୍ଆଇଏଲର ଦ୍ୱିତୀୟ ପର୍ଯ୍ୟାୟ ଖେଳାଯାଉଛି । ଆଜି ରାଞ୍ଚି ରୟାଲ୍ସ ଓ ସୁରମା ହକି କ୍ଲବ ମଧ୍ୟରେ ଶେଷ ମ୍ୟାଚ୍ ଖେଳାଯିବ। କଳିଙ୍ଗ ଷ୍ଟାଡିୟମରେ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ, ୨୩ରୁ ୨୫ ନକ୍ ଆଉଟ୍ ଏବଂ ୨୬ ତାରିଖରେ ଫାଇନାଲ ମ୍ୟାଚ ରହିଛି । ଗତ ବର୍ଷ ଭୁବନେଶ୍ୱର ପରିବର୍ତ୍ତେ ରାଉରକେଲାରେ (ବିର୍ସା ମୁଣ୍ଡା ଷ୍ଟାଡିୟମ) ଏଚ୍ଆଇଏଲର ମ୍ୟାଚ ଗୁଡ଼ିକ ଖେଳାଯାଇଥିଲା । କିନ୍ତୁ ଏଥର କେବଳ ଭୁବନେଶ୍ୱରରେ ଖେଳାଯିବ । ଓଡ଼ିଶାରୁ କଳିଙ୍ଗ ଲାନସର୍ସ ପୂର୍ବ ସଂସ୍କରଣରେ ଓଡ଼ିଶାରୁ ୨ଟି ଦଳର ମାଲିକ ଥିଲେ । କିନ୍ତୁ ଏଥର କେବଳ ବେଦାନ୍ତ କଳିଙ୍ଗ ଲାନସର୍ସ ଖେଳୁଛି । କଳିଙ୍ଗ ଲାନସର୍ସ ଏ ପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ୧୧ ପଏଣ୍ଟ ପାଇ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି । ଭୁବନେଶ୍ୱରରେ ପୂର୍ବରୁ ହକି ଇଣ୍ଡିଆ ଲିଗ୍ ଏବଂ ଅନ୍ୟାନ୍ୟ ଇଭେଣ୍ଟକୁ ନେଇ ଯେଉଁ ଉତ୍ସାହ ରହିଥିଲା, ଏଥର ମଧ୍ୟ ସମାନ ଉତ୍ସାହ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ସଂପୂର୍ଣ୍ଣ ମାଗଣା ଟିକେଟ୍ ରେ ଦର୍ଶକ କଳିଙ୍ଗ ଷ୍ଟାଡିୟମରେ ଏଚ୍ଆଇଏଲର ମ୍ୟାଚ ଗୁଡ଼ିକ ଦେଖିବାକୁ ପାଇବେ। ଷ୍ଟାଡିୟମରେ ପ୍ରବେଶ ପାଇଁ କିନ୍ତୁ ଦର୍ଶକଙ୍କୁ ଅଁଳିନେ ଟିକେଟ୍ ବୁକ କରିବାକୁ ହେବ। ଷ୍ଟାଡିୟମରେ ପ୍ରବେଶ ସମୟରେ ଏହାକୁ ଦେଖାଇବାକୁ ପଡ଼ିବ ।

Exit mobile version