Nababharat News

ଘରେ ପଶି ନେଇଗଲେ ୪୦ ଗ୍ରାମ୍ ସୁନା ସହ ୨୫ ଲକ୍ଷ ଟଙ୍କା

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ମୁଖ୍ୟ ସହରରେ ହୋଇଛି ଡକାୟତି। ୪ ଜଣ ସଶସ୍ତ୍ର ମୁଖାଧାରୀ ଡକାୟତ ମାଡ଼ ମାରିବା ସହ ଲୁଟିନେଲେ ଟଙ୍କା ଓ ସୁନାଗହଣା। ବଣାଇ ଥାନାଠାରୁ ମାତ୍ର ପାଞ୍ଚ ଶହ ମିଟର ଦୁରରେ ଥିବା ରଶ୍ମି ଇଲେକ୍ଟ୍ରିକାଲ ଦୋକାନ ମାଲିକଙ୍କ ଘରେ ମା, ଝିଅ ଓ ଦୋକାନରେ କାମ କରୁଥିବା ପିଲା ଶୋଇଥିବା ବେଳେ ମଧ୍ୟରାତ୍ରିରେ ହଠାତ୍‌ ୪ ଜଣ ଦୁର୍ବୃତ୍ତ ପହଞ୍ଚି ତଳେ ଶୋଇଥିବା ତାଙ୍କର ଚାକରକୁ ଆଗେ ପ୍ରବଳ ମାଡ଼ ମାରିବା ସହ ତାଙ୍କୁ ବାନ୍ଧି ଦେଇଥିଲେ। ବନ୍ଧୁକ ଦେଖାଇ କହିଥିଲେ ତମ ମାଲିକାଣୀଙ୍କୁ କବାଟ ଖୋଲା କରିବାକୁ କହ ନ ହେଲେ ତୋତେ ମାରିଦେବୁ, ଡକାୟତମାନଙ୍କ ପାଖରେ ବନ୍ଧୁକ, ମାଂସ କଟା ଚାପଡ଼ ଓ ଶାବଳ ହାତରେ ଥିଲା।

ସମ୍ପୃକ୍ତ କର୍ମଚାରୀ ଦୁର୍ବୃତ୍ତଙ୍କ ଭୟରେ ପେଟ ବିନ୍ଧୁଛି ଔଷଧ ଦିଅ ବୋଲି ମାଲିକାଣୀଙ୍କୁ ଫୋନ ଯୋଗେ କହିଥିଲେ। ମା’ ଝିଅ ଔଷଧ ବାହାର କରି କବାଟ ଖୋଲିଥିଲେ ହେଲେ ଛକି ରହିଥିବା ଦୁର୍ବୃତ୍ତ ତାଙ୍କୁ ଧକ୍କା ମାରି ଘର ଭିତରକୁ ପଶି ଆସିଥିଲେ। ମୁହଁ, ଗୋଡ଼ ହାତ ସବୁ ମା’ ଝିଅଙ୍କର ବାନ୍ଧିବା ସହ ଚାବି ମାଗିଥିଲେ। ଯଦି ଚାବି ନ ଦେବ ତମ ଝିଅକୁ ବଳାତ୍କାର କରି ଭିଡିଓ ଭାଇରାଲ କରିଦେବୁ ବୋଲି ମଧ୍ୟ ଧମକ ଦେଇଥିଲେ। ବାଧ୍ୟ ହୋଇ ଚାବି ଦେବାରୁ, ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଓ ମହାଜନଙ୍କୁ ଦବା ପାଇଁ ପ୍ରାୟ ୨୫ ଲକ୍ଷ ଟଙ୍କା ଇତ୍ୟାଦିକୁ ମିଶାଇ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଲୁଟି ନେଇଥିଲେ। ଦୁର୍ବୃତ୍ତଙ୍କ ଅପରେଶନ ତିନିଘଣ୍ଟା ଧରି ଚାଲିଥିବା ବେଳେ ଦୁର୍ବୃତ୍ତମାନେ ସିସିଟିଭି କ୍ୟାମେରା ଭାଙ୍ଗି ହାର୍ଡ ଡିସ୍କକୁ ନେଇ ପଳାଇଥିଲେ। ଭୋର ସମୟରେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବଣାଇ ଏବେ ସମ୍ପୂର୍ଣ୍ଣ ଅସୁରକ୍ଷିତ। ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଏହାକୁ ନେଇ ସହରବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ରାଉରକେଲା ଏସ୍‌ପି ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତ। ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତାରେ ତଦନ୍ତ କରୁଛି।

Exit mobile version