Nababharat News

ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ ଓ ମନମୋହନ ସାମଲ

ଭୁବନେଶ୍ୱର: ରାଜ୍ୟର ବିଜେଡି ଓ ବିଜେପି ଦୁଇଦଳ ର ନେତା ଯାଇଛନ୍ତି ଦିଲ୍ଲୀ । ଗତକାଲି ବିଳମ୍ବିତ ରାତିରେ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଥିବାବେଳେ, ବିଜେଡି ନେତା ନବୀନ ପଟ୍ଟନାୟକ ଆଜି ସକାଳେ ଦିଲ୍ଲୀ ଯାଇଛନ୍ତି । ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ, ଏହି ଦୁଇ ଦଳର ନେତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଗୋଟିଏ ଦିନ ପରେ ପଡ଼ିବ ଉପରାଷ୍ଟ୍ରପତି ନିର୍ବାଚନ ଭୋଟ୍ । ଏବେ ପର୍ଯ୍ୟନ୍ତ ଏହି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଦେବ, ସେନେଇ କିଛି ବି ସ୍ପଷ୍ଟ ହେଇନି । ଏହାରି ଭିତରେ ନବୀନ ଦିଲ୍ଲୀ ଗସ୍ତରେ ବାହାରିଯାଛନ୍ତି । ଚର୍ଚ୍ଚା ହେଉଛି ଏହି ଗସ୍ତରେ ନବୀନ ବିଜେପିର କିଛି ବଡ଼ ନେତାଙ୍କୁ ସାକ୍ଷାତ କରିପାରନ୍ତି । ଏହାସହ ସେ ପିଏମ୍ ମୋଦୀଙ୍କୁ ମଧ୍ୟ ଭେଟିପାରନ୍ତି ବୋଲି ଖବର ମିଳୁଛି । ତେଣୁ କେଉଁଠି ନା କେଉଁଠି ନବୀନଙ୍କ ଉପରେ ଏବେ ସମସ୍ତଙ୍କର ନଜର ରହିଛି ।

ଅନ୍ୟପଟେ ବିଜେପିର ମନମୋହନ ସାମଲ ଗତକାଲି ବିଳମ୍ବିତ ରାତିରେ ପୁଣି ଦିଲ୍ଲୀ ଯାଇଛନ୍ତି । ଚର୍ଚ୍ଚା ହେଉଛି ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ କେନ୍ଦ୍ରୀୟ ନେତାଙ୍କ ସହ ତାଙ୍କର ମିଟିଂ ହେଇପାରେ । ତେଣୁ ଯେହେତୁ ବିଜେଡି ଆଉ ବିଜେପି ଭଳି ଦୁଇ ଦଳର ରାଜ୍ୟ ସଭାପତି ଏବେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି, ତେଣୁ ଏବେ ଏହା ଚର୍ଚ୍ଚାର ବିଷୟ ହୋଇଛି । ସାଧାରଣ ନିର୍ବାଚନ ପରଠାରୁ ବିଜେଡି-ବିଜେପି ସମ୍ପର୍କରେ ତିକ୍ତତା ଆସିଛି । ପୂର୍ବରୁ ଅଧିକାଂଶ ପ୍ରସଙ୍ଗରେ ନବୀନ, ବିଜେପିକୁ ସମର୍ଥନ କରିଆସୁଥିଲେ । ହେଲେ ନିର୍ବାଚନ ପରେ କିନ୍ତୁ, ସେମିତି ଖୋଲା ସମର୍ଥନ ଦେଖିବାକୁ ମିଳିନି । ଅନେକ ପ୍ରସଙ୍ଗରେ ବିଜେଡି ସାଂସଦମାନେ ଭାଗ ଭାଗ ହେଇ ସମର୍ଥନ ଦେଇଛନ୍ତି ନଚେତ୍ ବିରୋଧ କରିଛନ୍ତି । ତେଣୁ ଆଗକୁ ଯେହେତୁ ଉପରାଷ୍ଟ୍ରପତି ନିର୍ବାଚନ ଅଛି, ତେଣୁ ବିଜେଡି ଉପରେ ଏବେ ସମସ୍ତଙ୍କର ନଜର ।

Exit mobile version