Nababharat News

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ବିଜେଡ଼ିରେ ମିଶିଲେ 

ନୀଳଗିରିର ବର୍ତମାନ ବିଧାୟକ ଓ ପୂର୍ବତନ ସାଲେପୁର ବିଧାୟକ ବିଜେପି ଛାଡିଲେ 

ଭୁବନେଶ୍ୱର:ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି  ରାଜ୍ୟରେ ବିଭିନ୍ନ ଦଳରେ ଥିବା ଅସନ୍ତୁଷ୍ଟ ନେତାମାନେ ଦଳପରିବର୍ତନ କରୁଥିବା ପରିପ୍ରେକ୍ଷୀରେ ଆଜି  ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଆଜି ବିଜେଡିରେ ଯୋଗଦେଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ଓ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ସେ ନିଜର ସମର୍ଥକମାନଙ୍କ ସହ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ତଥା ବିଜେଡି ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ସେ ଏହି ଦଳକୁ ଆସିଥିବା କହିଛନ୍ତି ।

ଶ୍ରୀ ଭୋଇ ଦୀର୍ଘ ତିନି ଦଶନ୍ଧି ଧରି କଂଗ୍ରେସରେ ସକ୍ରିୟ ଥିଲେ । ୧୯୯୫ ଏବଂ ୨୦୦୦ ନିର୍ବାଚନରେ ସେ ସଇଁତଳା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୨୦୦୯ ରେ ଟିଟିଲାଗଡ଼ରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ୨୦୧୪ ରେ ଟୁକୁନି ସାହୁଙ୍କଠାରୁ ହାରି ଯାଇଥିଲେ ।  ଗତକାଲି ବ୍ୟକ୍ତିଗତ କାରଣ ଦର୍ଶାଇ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ବିଜେଡିରେ ମିଶିବା ପରେ ଦଳ ତାଙ୍କୁ ବଲାଙ୍ଗୀର ଆସନରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ସେହିଭଳି ଢ଼େଙ୍କାନାଳର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ବିଜେଡିରେ ମିଶିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ତ୍ସସ୍ମିତ୍ ପାତ୍ର ଓ ସୁଲତା ଦେଓ, ଢ଼େଙ୍କାନାଳ ବିଧାୟକ ସୁଧୀର ସାମଲ, ସାଂସଦ ପ୍ରାର୍ଥୀ ଅବିନାଶ ସାମଲଙ୍କ ଉପସ୍ଥିତିରେ ଏମାନେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ ।

ସେହିପରି, ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏବଂ ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେମାନେ ଇସ୍ତଫାପତ୍ର ପଠାଇଛନ୍ତି ।

ସୁୁକାନ୍ତ ନାୟକ ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ । ୨୦୧୯ ରେ ବିଜେଡି ଟିକେଟ ନ ମିଳିବାରୁ ସେ ବିଜେପିକୁ ଯାଇଥିଲେ ଏବଂ ବିଜେପି ଟିକେଟରେ ବିଧାୟକ ହୋଇଥିଲେ ।

ପ୍ରକାଶ ବେହେରା ୨୦୧୪ ରେ କଂଗ୍ରେସ ଟିକେଟରେ ସାଲେପୁର ଆସନରୁ ଜିତିଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇ ନିର୍ବାଚନ ଲଢ଼ିଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କଠାରୁ ପରାସ୍ତ ହୋଇଥିଲେ ।

ଉଭୟ ଶ୍ରୀ ନାୟକ ଏବଂ ଶ୍ରୀ ବେହେରା ବିଜେଡିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି ।

Exit mobile version