ଭୁବନେଶ୍ୱର: ଆଜି ମଧ୍ୟ ଏସସିବି ଘଟଣାକୁ ନେଇ ଗୃହରେ ଅଚଳାବସ୍ଥା ଜାରି ରହିଛି lବିଜେଡ଼ି ବିଧାୟକମାନେ ଆଜି ଏକ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି । କଳା ରଙ୍ଗର ଟି-ସାର୍ଟ ପିନ୍ଧି ଗୃହରେ ହଙ୍ଗମା କରିଛନ୍ତି ।ଯେଉଁଥିରେ ଲେଖାଯାଇଥିଲା ‘ଦୁର୍ବଳ ମୁଖ୍ୟମନ୍ତ୍ରୀ’ ଓ ‘ଶକ୍ତିଶାଳୀ ସ୍ୱାସ୍ଥ୍ୟ ମନ୍ତ୍ରୀ’ । ପ୍ରଶ୍ନ କାଳ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ନାରାବାଜି କରିଥିଲେ । ଫଳରେ ବାଚସ୍ପତି ବାଧ୍ୟ ହୋଇ ପୁଣି ଥରେ ପ୍ରଶ୍ନକାଳକୁ ବାତିଲ କରିଥିଲେ । ଏହା ପରେ ବିରୋଧୀ ସଦସ୍ୟମାନେ ବିଧାନସଭା ପରିସରରେ ସ୍ଲୋଗାନ ଦେଇଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ଏସସିବି ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟଙ୍କ ଇସ୍ତଫା ଦାବି କରିଛନ୍ତି । ଶକ୍ତିଶାଳୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଯୋଗୁଁ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହାଁନ୍ତି ବିଜେଡ଼ି କହିଛି । ଯେତେବେଳେ ସମ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଥିଲା ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଇସ୍ତଫା ଦେଇଥିଲେ । ତେଣୁ କାହିଁକି ସ୍ୱାସ୍ଥ୍ୟ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଉ ନାହାଁନ୍ତି ବୋଲି ବିଜେଡ଼ି ପ୍ରଶ୍ନ କରିଛି ।
କଳା ରଙ୍ଗର ଟି-ସାର୍ଟ ପିନ୍ଧି ବିଧାନସଭା ରେ ବିରୋଧୀ ଦଳ ର ନାରାବାଜୀ
