Nababharat News

ସୋଆ ଏସ୍‌ପିଏସ୍‌ ଛାତ୍ରଛାତ୍ରୀଙ୍କ ବିଶ୍ୱ ଫାର୍ମାସିଷ୍ଟିସ ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ‘ଓ’ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ ପକ୍ଷରୁ ଶୁକ୍ରବାର ବିଶ୍ୱ ଫାର୍ମାସିଷ୍ଟସ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି ।ଏହି ଅବସରରେ ଏସ୍‌ପିଏସ୍‌ର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା । ଜନସାଧାରଣଙ୍କ ମଧ୍ୟରେ ଔଷଧ ପ୍ରତିରୋଧକତା ବା ଆଂଟିମାଇକ୍ରୋବିଆଲ୍ ରେଜିଷ୍ଟାନ୍ସ ସଂପର୍କରେ ସଚେତନତା ସୃଷ୍ଟି କରିବା ସହ ଆଂଟିବାୟୋଟିକ୍‌ର ଅପବ୍ୟବହାର ଓ ଅନୁଚିତ ବ୍ୟବହାରକୁ ରୋକିବା ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ରାଲିକୁ ଛାତ୍ର ସମନ୍ୱୟକ ଶ୍ରୀ ଦିବ୍ୟଦର୍ଶନ ଧଳ ଏବଂ ସୁଶ୍ରୀ ସ୍ମୃତିଶ୍ରୀ ବଡଜେନା ପରିଚାଳନା କରିଥିଲେ । ରାଲି ପରେ ଏକ ଶପଥ ଗ୍ରହଣ ସମାରୋହ ମଧ୍ୟ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ଫାର୍ମାସିଷ୍ଟ ମାନଙ୍କ ଭୂମିକା ଓ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ ।କାର୍ଯ୍ୟକ୍ରମରେ ସିଡିଏସ୍‌ସିଓର ଡ୍ରଗ୍ ଇନ୍ସପେକ୍ଟର ଶ୍ରୀ ମଙ୍ଗଳ ଜ୍ୟୋତି ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରୋଗୀଙ୍କ ସୁରକ୍ଷା, ଔଷଧର ଯୁକ୍ତିଯୁକ୍ତ ବ୍ୟବହାର, ସ୍ୱାସ୍ଥ୍ୟସେବା ଏବଂ ସମାଜ ପ୍ରତି ଫାର୍ମାସିଷ୍ଟ ମାନଙ୍କର ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମଟି ସ୍କୁଲ୍ ଅଫ୍ ଫାର୍ମାସିର ଡିନ୍ ପ୍ରଫେସର ଦେବଜ୍ୟୋତି ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ମାନବ ସମାଜର କଲ୍ୟାଣ ନିମନ୍ତେ ଫାର୍ମାସି ପେସାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବା ନେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଶ୍ୱ ଫାର୍ମାସିଷ୍ଟସ ସପ୍ତାହ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ସମାରୋହକୁ ଆସୋସିଏଟ୍ ପ୍ରଫେସର ଡକ୍ଟର ପ୍ରିୟବ୍ରତ ପଟ୍ଟନାୟକ ଏବଂ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ରୁଦ୍ର ନାରାୟଣ ସାହୁ ପରିଚାଳନା କରିଥିଲେ । ଶେଷରେ ଡକ୍ଟର ଶକ୍ତିକେତନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version