Nababharat News

ନବୀନ ପଟ୍ଟନାୟକଙ୍କ ଚିଠିର ପାଲଟା ଜବାବ ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟକୁ ଚିଠି ଲେଖି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ ହିଞ୍ଜିଳି, ଶେରଗଡ଼, ଆସିକା ଓ ସୋରଡ଼ା ଅଂଚଳ ଗସ୍ତ କରିବାପରେ ଲୋକଙ୍କ ଅକଥନୀୟ ଦୁଃଖ ତାଙ୍କୁ ଗଭୀର ଆଘାତ ଦେଇଛି। ଅକ୍ଟୋବର ୨୩ ତାରିଖରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଗୁଆ ସତର୍କ ସୂଚନା ଦେଇଥିଲେ ମଧ୍ୟ ବିପର୍ଯ୍ୟୟ ପରିଚାଳନା ନିୟମ ଅନୁସାରେ ଡ୍ୟାମରୁ ଜଳସ୍ତର ହ୍ରାସ କରାଯାଇ ନଥିଲା। ବରଂ ପ୍ରବଳ ବର୍ଷା ଆରମ୍ଭ ହେବା ପରେ ଏକାସାଙ୍ଗରେ ପାଣି ଛଡ଼ାଯିବା ଓ ଲୋକଙ୍କୁ ଆଗୁଆ ସତର୍କ ନକରିବା ଫଳରେ ଏହି ମନୁଷ୍ୟକୃତ ସଙ୍କଟ ସୃଷ୍ଟି ହେଲା।ଏହାସହିତ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଲୋକମାନେ ଦିନ ଦିନ ଧରି ଖାଦ୍ୟ ଓ ପାଣି ବିନା ଜଳବନ୍ଦୀ ରହିଲେ। ବିଜେଡି ସରକାର ଅମଳରେ ସରପଂଚ ଓ ମିଶନଶକ୍ତିକୁ ନେଇ ଗଢ଼ି ଉଠିଥିବା ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ବର୍ତ୍ତମାନର ବିଜେପି ସରକାର ଦୁର୍ବଳ କରିଦେଇଛନ୍ତି। ସରକାର ଯଦି ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ନକରନ୍ତି ତେବେ ଲୋକଙ୍କ ସ୍ୱାର୍ଥ ପାଇଁ ବିଜେଡି ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢ଼େଇ କରିବ ବୋଲି ନବୀନ ଚେତାବନୀ ଦେଇଛନ୍ତି। ନବୀନଙ୍କ ଏହି ଚିଠି ଉପରେ ପାଲଟା କଡ଼ା ଜବାବ ଦେଇ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, କୌଣସି ମନୁଷ୍ୟ ଜାଣିଶୁଣି ବନ୍ୟା କରେନାହିଁ, ବରଂ ଦୀର୍ଘ ବର୍ଷ ଧରି ଗଞ୍ଜାମକୁ କରାଯାଇଥିବା ଅବହେଳା ହିଁ ଆଜି ଏଭଳି ସ୍ଥିତି ସୃଷ୍ଟି କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଭୋଟ ରାଜନୀତି କରି ଗଞ୍ଜାମବାସୀଙ୍କୁ ପ୍ରତାରିତ କରିଥିଲେ, ଯାହାର ପରିଣାମ ଆଜି ଦେଖିବାକୁ ମିଳୁଛି। ବିଜେପି ସରକାର ଅତ୍ୟନ୍ତ ସମ୍ବେଦନଶୀଳତାର ସହ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମାତ୍ର ୭୨ ଘଣ୍ଟା ମଧ୍ୟରେ ୨୦୦ରୁ ଅଧିକ କ୍ଷତିଗ୍ରସ୍ତ ରାସ୍ତା ମରାମତି କରି ଯୋଗାଯୋଗ ବ୍ୟବସ୍ଥାକୁ ସ୍ୱାଭାବିକ କରାଯାଇଛି। ତେଣୁ ନବୀନ ବାବୁ ଅନ୍ୟ ଉପରେ ଦୋଷ ଲଦିବା ପୂର୍ବରୁ ନିଜର ବିଗତ ଦିନର ଶାସନ ଓ ଅବହେଳାକୁ ଭଲ ଭାବେ ଅନୁଧ୍ୟାନ କରିବା ଉଚିତ ବୋଲି ଶ୍ରୀ ହରିଚନ୍ଦନ ରୋକଠୋକ ଶୁଣାଇ ଦେଇଛନ୍ତି।

Exit mobile version