Nababharat News

ଇଣ୍ଡିଗୋ ବିମାନ ବାତିଲ ପରେ ଭୁବନେଶ୍ୱର ବିମାନବନ୍ଦରରେ ମହିଳାଙ୍କ ହଙ୍ଗାମା

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରଠାରେଏକ ଇଣ୍ଡିଗୋ ବିମାନ ବାତିଲ ହେବା ପରେ ଜଣେ ମହିଳା ଯାତ୍ରୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନଟି ବିଳମ୍ବ ହେବା ସହ ପରେ ବାତିଲ ହୋଇଥିଲା, ଯାହା ଫଳରେ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସୂଚନା ଅନୁଯାୟୀ, ଉକ୍ତ ମହିଳା ଜଣକ ନିଜ ପୁଅର ଚିକିତ୍ସା ପାଇଁ କୋଲକାତା ଯିବାର ଥିଲା । ତେବେ ବିମାନ ବାତିଲ ହେବା ଖବର ଶୁଣି ସେ ଉତ୍ତ୍ୟକ୍ତ ହୋଇପଡିଥିଲେ। କ୍ରୋଧାନ୍ୱିତ ହୋଇ ସେ ବିମାନବନ୍ଦର ପରିସରରେ ହଙ୍ଗାମା କରିବା ସହ ଏକ କମ୍ପ୍ୟୁଟର ମନିଟର, କିବୋର୍ଡ ଓ ପାସପୋର୍ଟ ସ୍କାନିଂ ମେସିନ୍ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଏହି ଉତ୍ତ୍ୟକ୍ତ ଆଚରଣର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଏବଂ ବିମାନ ବାତିଲ ପରେ ମହିଳା ଜଣକ ଶେଷରେ ଅନ୍ୟ ଏକ ସଂଯୋଗକାରୀ ବିମାନ ଯୋଗେ କୋଲକାତା ଯିବାରେ ସଫଳ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ବିମାନବନ୍ଦରରେ କମ୍ପ୍ୟୁଟର ଭଙ୍ଗାରୁଜା ହୋଇଥିବା ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏୟାରପୋର୍ଟ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Exit mobile version