Nababharat News

ପୋଖରୀକୁ ଖସି ପଡ଼ିଲା ବରଯାତ୍ରୀ କାର୍‌, ୫ ମୃତ

ଢେଙ୍କାନାଳ: ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ସଦର ଥାନା ଛାଟିଆ ଗ୍ରାମରେ ଏକ ବରଯାତ୍ରୀ କାର୍ ଭାରସାମ୍ୟ ହରାଇ ପୋଖରୀରେ ବୁଡ଼ି ଯାଇଥିଲା । ଗାଡ଼ିରେ ୭ ଜଣ ଯୁବକ ରହିଥିବା ବେଳେ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ଗ୍ରାମବାସୀ । ଏମାନେ ମୋଟଙ୍ଗା ବାଂଗୁରୁସିଂହରୁ ଇନ୍ଦିପୁରକୁ ବରଯାତ୍ରୀ ଭାବେ ଯାଉଥିଲେ । ମୃତକମାନେ ହେଲେ ବାଙ୍ଗୁରୁସିଂହ ଗ୍ରାମର ଗାଡ଼ି ଚାଳକ ଚନ୍ଦ୍ରକାନ୍ତ ସ୍ୱାଇଁ, ଅବିନାଶ ସାହୁ, ରାକେଶ ସାହୁ, ଶ୍ରୀରାମ ସାହୁ ଓ ସିମିନଈ ଗ୍ରାମର ଅଭିଜିତ ସାହୁ । ସମସ୍ତଙ୍କ ବୟସ ୨୦ରୁ ୨୫ ବର୍ଷ ବୟସ ମଧ୍ୟରେ ହେବ । ଉଦ୍ଧାର ହୋଇଥିବା ଯୁବକ ଦୁଇଜଣ ବାଙ୍ଗୁରୁସିଂହ ଗ୍ରାମର ବାବୁଲ ସାହୁ ଓ ସୌମ୍ୟ ରଞ୍ଜନ ସାହୁ ବୋଲି ଜଣାପଡିଛି । ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଗ୍ରାମବାସୀଙ୍କ କହିବାନୁଯାୟୀ, ଗତ ରାତି ପ୍ରାୟ ସାଢ଼େ ଦୁଇଟା ସମୟରେ ମୋଟଙ୍ଗା ଥାନା ଅନ୍ତର୍ଗତ ବାଙ୍ଗୁରୁସିଂହ ଗ୍ରାମରୁ ଏହି ବରଯାତ୍ରୀମାନେ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମକୁ ଯାଉଥିଲେ । ଦ୍ରୁତ ବେଗରେ ଯାଉଥିବା ଏହି କାରଟି ବୁଲାଣି ରାସ୍ତା ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡି ପୋଖରୀକୁ ଖସି ପଡ଼ିଥିଲା । ଖବର ପାଇ ଆମେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲୁ । ପୋଖରୀ ଭିତରୁ କାର୍ ଡୋର୍ ଭାଙ୍ଗି ଯୁବକମାନଙ୍କୁ ଉଦ୍ଧାର କରାଯାଇଥିଲା । କାର୍ ଭିତରେ ମୋଟ ୭ ଜଣ ଯୁବକ ରହିଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଦୁଇ ଜଣ ସୁରକ୍ଷିତ ଉଦ୍ଧାର ହୋଇଥିଲେ । ଉଦ୍ଧାର ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ପୋଖରୀ ଭିତରୁ ଦୁର୍ଘଟଣାଗ୍ରସ୍ତ କାରକୁ ଉଦ୍ଧାର କରିଛି । ମୃତଦେହ ବ୍ୟବଚ୍ଛେଦ ଶେଷ ହେବା ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

Exit mobile version