ଭୁବନେଶ୍ୱର: ଆଜି ଶୀତକାଳୀନ ଅଧିବେଶନର କ୍ରମାଗତ ତୃତୀୟ ଦିନରେ ବିରୋଧୀ ଦଳର ବିଧାୟକମାନଙ୍କ ଲଗାତାର ହଟ୍ଟଗୋଳ ଏବଂ ପ୍ରତିବାଦ ଯୋଗୁଁ ବାଚସ୍ପତି ସପ୍ତାହାନ୍ତ ଛୁଟି ପରେ ଆସନ୍ତା ସୋମବାର, ନଭେମ୍ବର ୨୩ ସକାଳ ୧୦ଟା ୩୦ ମିନିଟ୍ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଆଜି ସକାଳୁ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରଶ୍ନକାଳ ମାତ୍ର ୧୦ ମିନିଟ୍ ଗଡ଼ିଥିଲା। ଏହାପରେ ହିଁ ବିଜେଡି ଏବଂ କଂଗ୍ରେସର ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ିଆସିଥିଲେ। ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ବିଧାୟକମାନେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ଗୃହରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି କରିଥିଲେ। ଏହି ହଙ୍ଗାମା ଭିତରେ ଉଭୟ ବିରୋଧୀ ଦଳ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ସମ୍ପ୍ରତି ବାତ୍ୟା ଓ ବନ୍ୟା ପରବର୍ତ୍ତୀ ସହାୟତା ବଣ୍ଟନରେ ପ୍ରଶାସନିକ ବିଫଳତା ଓ ଅବହେଳାକୁ ନେଇ ବିଜେଡି ସଦସ୍ୟମାନେ ସ୍ୱର ଉତ୍ତୋଳନ କରି ସରକାରଙ୍କୁ ଘେରିଥିଲେ। କଂଗ୍ରେସ ବିଧାୟକମାନେ ପୁରୁଣା କୋଟିଆ ସୀମା ବିବାଦ ପ୍ରସଙ୍ଗ ଉଠାଇଥିଲେ। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିଧାନସଭାରେ ତୁରନ୍ତ ଏକ ସ୍ୱତନ୍ତ୍ର ଆଲୋଚନା ପାଇଁ ସେମାନେ ଜୋରଦାର ଦାବି କରିଥିଲେ। ଗୃହରେ ଶାନ୍ତି ବଜାୟ ରଖିବା ଏବଂ ନିଜ ଆସନକୁ ଫେରିଯିବା ପାଇଁ ବାଚସ୍ପତି ବାରମ୍ବାର ନିବେଦନ କରିଥିଲେ ହେଁ ବିରୋଧୀ ସଦସ୍ୟମାନେ ପଛକୁ ହଟିନଥିଲେ। ଶେଷରେ ଗୃହ ସ୍ୱାଭାବିକ ହେବାର କୌଣସି ସମ୍ଭାବନା ନଦେଖିବାରୁ ଶେଷରେ ସୋମବାର ସକାଳ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି।
ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ହଙ୍ଗାମା,ସୋମବାର ଯାଏଁ ଗୃହ ମୁଲତବୀ
