Nababharat News

କିଟ୍‌ ଓ କିସ୍‌ ପରିଦର୍ଶନ କଲେ କ୍ୟୁନି ବିଶ୍ୱବିଦ୍ୟାଳୟର ୩୮ ଜଣିଆ ପ୍ରତିନିଧିଦଳ

ଭୁବନେଶ୍ୱର: ଆମେରିକାର ସିଟି ୟୁନିଭରସିଟି ଅଫ୍‍ ନ୍ୟୁୟର୍କ (କ୍ୟୁନି ବିଶ୍ୱବିଦ୍ୟାଳୟ)ରୁ ୩୮ ଜଣିଆ ପ୍ରତିନିଧିମଣ୍ଡଳ ଇତି ମଧ୍ୟରେ କିଟ୍‍ ଓ କିସ୍‍ ପରିଦର୍ଶନ ପରେ ମଧୁର ସ୍ମୃତି ନେଇ ଫେରିଯାଇଛନ୍ତି। ସେଥିମଧ୍ୟରୁ ୧୦ଜଣ ବିଶିଷ୍ଟ ପ୍ରଫେସର ହୋଇଥିବା ବେଳେ ୨୮ଜଣ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ପ୍ରତିନିଧିମଣ୍ଡଳରେ ସାମିଲ ହୋଇଥିଲେ। ଦୀର୍ଘ ୧୫ ଦିନ ରହଣି ମଧ୍ୟରେ ସେମାନେ ଏଠାରେ କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀଙ୍କ ସହ ମତ ଓ ଶିକ୍ଷା ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶେଷ ଦିନରେ ସେମାନେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହ କିଟ୍‍ ଓ କିସ୍‍ ରେ ସେମାନଙ୍କ ଅଭିଜ୍ଞତା ବଖାଣି ଥିଲେ । କିଟ୍‍ ଓ କିସ୍‍ର ଶିକ୍ଷା ପରିବେଶ ଓ ଭିତ୍ତିଭୂମି ଦେଖି ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏହା ସହ ସେମାନଙ୍କୁ ମିଳିଥିବା ଆତିଥେୟତା ଓ ଆତ୍ମୀୟତା କେବେ ଭୁଲି ପାରିବେ ନାହିଁ ବୋଲି କହିଥିଲେ। ଏଭଳି ପ୍ରୟାସ ପାଇଁ ସେମାନେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ‘ଇଣ୍ଡିଆଟ୍ରେକ୍‌’ ମାଧ୍ୟମରେ ପ୍ରତିବର୍ଷ କିଟ୍‍ ଓ କିସ୍‍ ପକ୍ଷରୁ ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ଏକ ଭିନ୍ନ ପ୍ରୟାସ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀମାନେ ଓଡ଼ିଶାର ସଂସ୍କୃତି, ଐତିହ୍ୟ, ଖାଦ୍ୟ, ପରମ୍ପରା ଓ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସଂପର୍କରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବା ସହ ଦିଲ୍ଲୀ ଏବଂ ଆଗ୍ରାର ତାଜମହଲ ମଧ୍ୟ ପରିଦର୍ଶନ କରିଥାନ୍ତି। ନିଜ ଦେଶକୁ ଫେରିବା ସମୟରେ ସେମାନେ କେବଳ କିଟ୍‍ ଓ କିସ୍‍ର ସ୍ମୃତି ନୁହେଁ, ବରଂ ଓଡ଼ିଶା ଓ ଭାରତରୁ ମଧୁର ଅନୁଭୂତିକୁ ମଧ୍ୟ ସାଙ୍ଗରେ ନେଇ ଫେରନ୍ତି। ସେମାନଙ୍କ ଗସ୍ତର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତ ବିଶେଷ କରି ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ସାମାଜିକ-ଅର୍ଥନୈତିକ ସ୍ଥିତି ବିଷୟରେ ଜାଣିବା ଓ ଜ୍ଞାନ ଆହରଣ କରିବା।

Exit mobile version