Nababharat News

ସୁକିନ୍ଦା କ୍ରୋମାଇଟ୍ ଖଣି ଅଞ୍ଚଳରେ ଅତ୍ୟାଧୁନିକ ଜଳ ପରିଚାଳନା ବ୍ୟବସ୍ଥା ପାଇଁ ଟାଟାର ଅନନ୍ୟ ପଦକ୍ଷେପ

ଯାଜପୁର: ପରିବେଶ ପ୍ରଦୂଷଣ ଓ ଜଳ ସଙ୍କଟ କୁ ଦୃଷ୍ଟିରେ ରଖି ଟାଟା ଷ୍ଟିଲ୍ ପକ୍ଷରୁ ଯାଜପୁର ଜିଲ୍ଲାର ସୁକିନ୍ଦା ଅଞ୍ଚଳରେ ପରିବେଶ ଅନୁକୂଳ ଖଣି କାର୍ଯ୍ୟକୁ ଅଧିକ ସୁଦୃଢ଼ କରାଯାଇଛି। କମ୍ପାନୀ ପକ୍ଷରୁ ଅତ୍ୟାଧୁନିକ ଜଳ ବିଶୋଧନ ଟେକ୍ନୋଲୋଜି ଏବଂ ସ୍ମାର୍ଟ ମନିଟରିଂ ବ୍ୟବସ୍ଥା ଯୋଗେ ଜଳ ପ୍ରଦୂଷଣ ରୋକିବା ସହ ସ୍ଥାନୀୟ ଜନ କଲ୍ୟାଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରାଯାଇଛି। ସାରୁଆବିଲ କ୍ରୋମାଇଟ୍ ଖଣିରେ ପୂର୍ବରୁ ଥିବା ଘଣ୍ଟା ପ୍ରତି ୩୮୦ କିଲୋଲିଟର ୟୁନିଟ୍ ବ୍ୟତୀତ ଘଣ୍ଟା ପ୍ରତି ୧,୨୦୦ କିଲୋଲିଟର ୟୁନିଟ୍‌ର ଏକ ନୂତନ କ୍ଷମତା ସମ୍ପନ୍ନ ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଇଟିପି) ବ୍ୟବସ୍ଥା କରାଯାଇଛି। ସୁକିନ୍ଦା କ୍ରୋମାଇଟ୍ ଖଣିରେ କମ୍ପାନୀ ପକ୍ଷରୁ ଘଣ୍ଟା ପ୍ରତି ୪,୫୦୦ କିଲୋଲିଟର କ୍ଷମତା ବିଶିଷ୍ଟ ଏକ ବିଶାଳ ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଇଟିପି) କାର୍ଯ୍ୟକାରୀ ହେଉଛି। ଏହା ଖଣି ଅଞ୍ଚଳର ବର୍ଜ୍ୟଜଳ ଏବଂ ବର୍ଷା ଜଳକୁ ବିଶୋଧନ କରି ପୁନଃବ୍ୟବହାର ଯୋଗ୍ୟ କରିବ। ଏହି ପ୍ଲାଣ୍ଟଗୁଡ଼ିକ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି)ର ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରୁଛନ୍ତି ଏବଂ ବିଶୋଧିତ ଜଳକୁ ଉଦ୍ୟାନ କୃଷି ଓ ଧୂଳି ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଉଛି। ଟାଟା ଷ୍ଟିଲ୍‌ର ଫେରୋ ଆଲୟଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍‌ଏଏମ୍‌ଡି)ର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ, ଅତ୍ୟାଧୁନିକ ବିଶୋଧନ ପ୍ରଣାଳୀରେ ଜଳ ପରିଚାଳନା ଏବଂ ଏହାର ଡିଜିଟାଲ୍ ମନିଟରିଂ କ୍ଷେତ୍ରରେ କମ୍ପାନୀର ନିବେଶ ପରିବେଶ ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। ପରିବେଶ ସୁରକ୍ଷାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ଟାଟା ଷ୍ଟିଲ୍ ସେନ୍ସର ଭିତ୍ତିକ ଆନାଲାଇଜର ସ୍ଥାପନ କରିଛି, ଯାହା ଜଳର ଗୁଣବତ୍ତାକୁ ନିରନ୍ତର ଯାଞ୍ଚ କରିଥାଏ। ଏହି ତଥ୍ୟଗୁଡ଼ିକୁ ଏନ୍‌ଏବିଏଲ୍ (ନ୍ୟାସନାଲ ଆକ୍ରିଡେସନ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବରେସନ ଲାବରେଟୋରିଜ୍‌) ସ୍ୱୀକୃତିପ୍ରାପ୍ତ ତୃତୀୟ ପକ୍ଷ ଲ୍ୟାବ୍ ଦ୍ୱାରା ମଧ୍ୟ ଯାଞ୍ଚ କରାଯାଉଛି। ଏହାଛଡା କମ୍ପାନୀ ସାରୁଅବିଲ ଏବଂ କମର୍ଦ୍ଦା କ୍ରୋମାଇଟ୍ ଖଣିରେ ଘଣ୍ଟା ପ୍ରତି ୫୦ ଘନ ମିଟର କ୍ଷମତା ବିଶିଷ୍ଟ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ (ଡବ୍ଲ୍ୟଟିପି) ସ୍ଥାପନ କରୁଛି, ଯେଉଁଠାରୁ ବିଶୋଧିତ ଜଳକୁ ପାନୀୟ ଜଳ ଭାବେ ଯୋଗାଇ ଦିଆଯିବ। ଖଣିଜ ଉତ୍ତୋଳନ ପ୍ରକ୍ରିୟାରେ ସାଧାରଣତଃ ଜଳର ବ୍ୟବହାର ଅଧିକ ହେଉଥିବାରୁ, ଏହାକୁ ନିୟନ୍ତ୍ରଣ କରିବା ପାଇଁ ଟାଟା ଷ୍ଟିଲ୍ ଏହାର ସମସ୍ତ କେନ୍ଦ୍ରରେ ‘ସ୍ମାର୍ଟ ୱାଟର ମ୍ୟାନେଜମେଣ୍ଟ ସିଷ୍ଟମ’ କାର୍ଯ୍ୟକାରୀ କରିଛି। ଆଇଓଟି ସେନ୍ସର, ସ୍ୱୟଂଚାଳିତ ବ୍ୟବସ୍ଥା ଏବଂ ଡାଟା ଆନାଲିଟିକ୍ସ ଦ୍ୱାରା ପରିଚାଳିତ ଏହି ଅତ୍ୟାଧୁନିକ ପ୍ରଣାଳୀ ଜଳର ପ୍ରବାହ ଏବଂ ବ୍ୟବହାର ଉପରେ ରିୟଲ-ଟାଇମ୍ ନଜର ରଖୁଛି। ‘ଫ୍ଲକ୍ସଜେନ୍ ସଷ୍ଟେନେବଲ୍ ଟେକ୍ନୋଲୋଜି’ ସହଯୋଗରେ କମ୍ପାନୀ ଏହାର ସମଗ୍ର ଜଳ ପରିଚାଳନା ବ୍ୟବସ୍ଥାକୁ ଡିଜିଟାଲାଇଜ୍ କରିଛି, ଯାହାର ସମସ୍ତ ତଥ୍ୟ ମୋବାଇଲ୍ ଏବଂ ୱେବ୍ ଆପ୍ଲିକେସନ୍ ମାଧ୍ୟମରେ ସହଜରେ ଉପଲବ୍ଧ ହୋଇପାରୁଛି।

Exit mobile version