Nababharat News

ଶପଥ ନେଲେ ଓଡ଼ିଶାର ୩ ରାଜ୍ୟସଭା ସାଂସଦ

ଭୁବନେଶ୍ୱର: ଓଡ଼ିଆରେ ଶପଥ ନେଲେ ୩ ରାଜ୍ୟସଭା ସାଂସଦ ମନମୋହନ ସାମଲ, ଦିଲ୍ଲୀପ ରାୟ ଓ ସଂତୃପ୍ତ ମିଶ୍ର । ଆଉ ଜଣେ ସାଂସଦ ଅର୍ଥାତ୍ ସୁଜିତ କୁମାର ଶପଥ ନେଇନାହାଁନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍ ସଂସଦ ଭବନରେ ଓଡ଼ିଶାରୁ ନବନିର୍ବାଚିତ ୩ ସାଂସଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେହିପରି ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରୁ ନିର୍ବାଚିତ ରାଜ୍ୟସଭା ସାଂସଦମାନେ ବି ଶପଥ ନେଇଛନ୍ତି । ପଶ୍ଚିମବଙ୍ଗ, ତାମିଲନାଡୁ ରାଜ୍ୟସଭା ସଦସ୍ୟ ଶପଥ ନେଇଛନ୍ତି । ଏନସିପି ନେତା ଶରଦ ପାୱାର, କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱାଲେ ଏବଂ ଡିଏମକେର ତିରୁଜି ସେଭା ଶପଥ ନେଇଛନ୍ତି ।
ସୂଚନାଥାଉ ଯେ, ​​​​ମାର୍ଚ୍ଚ ୧୬ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବାଜି ମାରିଥିଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର, ବିଜେଡିର ସଂତୃପ୍ତ ମିଶ୍ର ଓ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ । କଂଗ୍ରେସ ଓ ବିଜେଡି ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା ଦିଲ୍ଲୀପଙ୍କ ଠାରୁ ପରାଜିତ ହୋଇଥିଲେ । ପ୍ରଥମ ପସନ୍ଦ ଭୋଟରେ ମନମୋହନ ସାମଲ ୩୫, ସୁଜିତ କୁମାର ୩୫ ଓ ସଂତୃପ୍ତ ମିଶ୍ର ୩୧ ଖଣ୍ଡ ଭୋଟ ମିଳିଥିଲା । ପ୍ରଥମ ପସନ୍ଦ ଭୋଟରେ ବିଜେପିର ମନମୋହନ, ସୁଜିତ ଓ ବିଜେଡିର ସଂତୃପ୍ତ ବିଜୟୀ ହୋଇଥିଲେ। ତେବେ ୪ର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା ଓ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟରେ ଲଢେଇ ହୋଇଥିଲା । ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତାଙ୍କୁ ୨୩ ଖଣ୍ଡ ପ୍ରଥମ ପସନ୍ଦ ଭୋଟ ମିଳିଥିଲା । ସେହିପରି ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ମଧ୍ୟ ୨୩ ଖଣ୍ଡ ଭୋଟ ମିଳିଥିଲା । କିନ୍ତୁ ବିଧାୟକଙ୍କ ଦ୍ବିତୀୟ ପସନ୍ଦ ଭୋଟରେ ବାଜି ଓଲଟିଥିଲା । ବିଧାୟକଙ୍କ ଦ୍ବିତୀୟ ପସନ୍ଦ ଭୋଟରେ ଦିଲ୍ଲୀପ ବାଜି ମାରିଥିଲେ । ଦତ୍ତେଶ୍ବର ପରାଜୟ ହୋଇଥିଲେ ।

Exit mobile version