Nababharat News

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଯକୃତରୁ ୨୦ ସେ.ମି. ଆକାରର ବିଶାଳ ଟ୍ୟୁମର ବାହାର କଲେ ଡାକ୍ତର

ଭୁବନେଶ୍ୱର: ଜଣେ ରୋଗୀଙ୍କ ଯକୃତର ଡାହାଣ ପାର୍ଶ୍ୱରୁ ୨୦ ସେଣ୍ଟିମିଟର ଆକାରର ଏକ ବିଶାଳ ଟ୍ୟୁମରକୁ ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ସଫଳତାର ସହ ବାହାର କରିଛନ୍ତି ସମ୍ ର ଡାକ୍ତର । ସମ୍ ର ଗ୍ୟାଷ୍ଟ୍ରୋସର୍ଜରୀ ଓ ଲିଭର୍ ଟ୍ରାନ୍ସପ୍ଲାଣ୍ଟ ବିଭାଗର କନସଲଟାଣ୍ଟ ଡାକ୍ତର ଆଶୀର୍ବାଦ ପଣ୍ଡାଙ୍କ ନେତୃତ୍ୱରେ ଏହି ଜଟିଳ ଅସ୍ତ୍ରୋପଚାର କରାଯାଇଥିବା ବେଳେ ଓଡ଼ିଶାରେ ଉନ୍ନତ ଯକୃତ ଓ ପିତନଳୀ ସମ୍ବନ୍ଧୀୟ ଅସ୍ତ୍ରୋପଚାର କ୍ଷେତ୍ରରେ ଏହା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଯକୃତର ଡାହାଣ ପାର୍ଶ୍ୱକୁ ବାହାର କରିବା ପ୍ରକ୍ରିୟାକୁ ରାଇଟ୍ ହେପାଟେକ୍ଟୋମି କୁହାଯାଏ । ଯକୃତରେ ଅତ୍ୟଧିକ ରକ୍ତସଂଚାଳନ ହେଉଥିବାରୁ ଏହି ଅସ୍ତ୍ରୋପଚାରକୁ ଅତ୍ୟନ୍ତ ଜଟିଳ ଓ ଆହ୍ୱାନପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି କ୍ଷେତ୍ରରେ ଟ୍ୟୁମରର ବିଶାଳ ଆକାର ଯୋଗୁଁ ତାହା ଫାଟିଯିବା ଏବଂ ଅଧିକ ରକ୍ତସ୍ରାବ ହେବାର ଆଶଙ୍କା ମଧ୍ୟ ରହିଥିଲା । ଏହି ଜଟିଳତାକୁ ଏଡ଼ାଇବା ପାଇଁ ଡାକ୍ତର ପଣ୍ଡା ଏକ ସ୍ୱତନ୍ତ୍ର ଅସ୍ତ୍ରୋପଚାର ପଦ୍ଧତି \’ ଆଣ୍ଟିରି ଆପ୍ରୋଚ \’ ଅବଲମ୍ବନ କରିଥିଲେ । ବଡ଼ ଆକାରର ଯକୃତ ଟ୍ୟୁମର ବାହାର କରିବା କ୍ଷେତ୍ରରେ ଏହି ପଦ୍ଧତି ବିଶେଷ ଉପଯୋଗୀ । ପାରମ୍ପାରିକ ପଦ୍ଧତିରେ ପ୍ରଥମେ ଯକୃତକୁ ତାହାର ସ୍ୱାଭାବିକ ସ୍ଥିତିରୁ ଅଲଗା କରାଯାଉଥିବା ବେଳେ ଏହି ପଦ୍ଧତିରେ ଯକୃତକୁ ତାହାର ସ୍ୱାଭାବିକ ସ୍ଥିତିରେ ରଖି ଟ୍ୟୁମର ଥିବା ଅଂଶକୁ ରକ୍ତ ଯୋଗାଉଥିବା ପ୍ରମୁଖ ରକ୍ତବାହୀ ନଳୀଗୁଡ଼ିକୁ ନିୟନ୍ତ୍ରଣ କରାଯାଇଥାଏ । ଫଳରେ ଯକୃତର ଅନାବଶ୍ୟକ ଚଳନ ଓ ଟ୍ୟୁମର ଉପରେ ଚାପ କମିବା ସହ ରକ୍ତସ୍ରାବର ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ । ଅସ୍ତ୍ରୋପଚାରରେ ସୂକ୍ଷ୍ମତା ଏବଂ ଡାକ୍ତରୀ ଦଳର ସମନ୍ୱିତ ଉଦ୍ୟମ ଯୋଗୁଁ ୨୦ ସେ.ମି. ଆକାରର ଟ୍ୟୁମରକୁ ସଫଳତାର ସହ ବାହାର କରାଯାଇଥିଲା । ଏହି ସମୟରେ ରକ୍ତସ୍ରାବକୁ ସର୍ବନିମ୍ନ ସ୍ତରରେ ରଖିବା ସହ ଯକୃତର ଅବଶିଷ୍ଟ ଅଂଶର କାର୍ଯ୍ୟକ୍ଷମତାକୁ ସୁରକ୍ଷିତ ରଖାଯାଇଥିଲା । ଏହି ସଫଳତା ସଂର୍ପକରେ ଡାକ୍ତର ପଣ୍ଡା କହିଛନ୍ତି, “ଏତେ ବଡ଼ ଆକାରର ଯକୃତ ଟ୍ୟୁମର ବାହାର କରିବା ଏକ ବଡ଼ ଆହ୍ୱାନ । ବିଶେଷକରି ଯକୃତର ପରିବର୍ତିତ ଗଠନ ଏବଂ ଅଧିକ ରକ୍ତସ୍ରାବର ଆଶଙ୍କା ଏହାକୁ ଆହୁରି ଜଟିଳ କରିଥାଏ । ଆଣ୍ଟିରିୟ ଆପ୍ରୋଚ୍ ପଦ୍ଧତି ଆମକୁ ଅଧିକ ନିୟନ୍ତ୍ରଣ ଓ ସଠିକତାର ସହ ଅସ୍ତ୍ରୋପଚାର କରିବାରେ ସହାୟତା କରିଥିଲା । ଏହି ଅସ୍ତ୍ରୋପଚାର ଉପଯୁକ୍ତ ଯୋଜନା, ଅସ୍ତ୍ରୋପଚାରଗତ ଦକ୍ଷତା ଏବଂ ସମଗ୍ର ଡାକ୍ତରୀ ଟିମ୍ ର ସମନ୍ୱିତ ଉଦ୍ୟମର ପ୍ରତିଫଳନ । ରୋଗୀଟି ସୁସ୍ଥ ହେବା ପରେ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି ।”

Exit mobile version