ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ସୋସିଆଲ ମିଡ଼ିଆ ଫେସବୁକରେ ଏମିତି କିଛି ଧମକ ଆସିଛି ଯାହାକି ଏବେ ସବୁ ଆଡ଼େ ହଇଚଇ ସୃଷ୍ଟି କରିଛି। ”୭୩୨୬୮୦୩୯୫୨କୁ ୧୦ ଲକ୍ଷ ଟଙ୍କା ପଠାଅ । ଜଲଦୀ ଏମପି ପଦ ଛାଡ । ଆଜି ଇସ୍ତଫା ଦେ । ନହେଲେ ଗୁଳିମାରି ହତ୍ୟା କରାଯିବ। ମୁଁ ଗୋଟିଏ ଝିଅ ମୋର କେହି କିଛି କରିପାରିବେ ନାହିଁ । ଜଲଦି ଟଙ୍କା ପଠା । ପୋଲିସକୁ ଜଣାଇଲେ ଘର ଆଗରେ ବୋମାମାଡ଼ କରିବୁ । ଟଙ୍କା ପଠା ।” ଏମିତି ଏକ ଧମକପୂର୍ଣ୍ଣ ପୋଷ୍ଟ ଜୁଲି ରାଣୀ ପଣ୍ଡା ନାମକ ଏକ ଫେସବୁକ ଆଇଡିରୁ ଆସିଛି । ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ । ସେ କହିଛନ୍ତି ଗତ ଦୁଇଦିନ ତଳେ ମୋ ମୋବାଇଲକୁ ଜଣେ ବ୍ୟକ୍ତି ମେସେଜ୍ ଯୋଗେ ୧୦ ଲକ୍ଷ ଟଙ୍କା ଦାବି କରିବା ସହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପାଇଁ ମେସେଜ ଆସିଥିଲା । ତେବେ ଏହା ଏକ ଫେକ୍ ମେସେଜ ଭାବି ଏହାକୁ ରାଜ୍ୟସଭା ସାଂସଦ ଅଣଦେଖା କରିଥିଲେ । ଗତକାଲି ସୋସିଆଲ ମିଡିଆରେ ପୁଣି ଜୀବନରେ ମାରିଦେବାକୁ ତଥା ଗୁଳି କରିବାକୁ ଧମକ ଆସିଛି । ଏହା ଏକ ଗୁରୁତର ଘଟଣା । ଏନେଇ ପୁଲିସକୁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଅବଗତ କରାଇଥିବା ବେଳେ ତାଙ୍କ ପରିବାରର ସୁରକ୍ଷା ବୃଦ୍ଧି ପାଇଁ ପୁରୀ ଏସପିଙ୍କୁ ନିବେଦନ କରିଛନ୍ତି । ପୁରୀ ଭଳି ଏକ ପର୍ଯ୍ୟଟନସ୍ଥଳୀରେ ରାଜ୍ୟସଭା ସାଂସଦଙ୍କ ସମେତ ଶ୍ରୀମନ୍ଦିର ଓ ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସରେ ଗୁଳିମାଡ଼ ଏବଂ ବୋମାମାଡ ଧମକ ଆସିବା ପୁରୀକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଭୟଭୀତ କରାଇବ । ତେଣୁ ପୁରୀ ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ଦାବି କରିଛନ୍ତି ରାଜ୍ୟସଭା ସାଂସଦ ।
ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ହତ୍ୟା ଧମକ
