Nababharat News

ପ୍ରାଥମିକ ସ୍କୁଲ ପିଲାଙ୍କ ପରିଚୟ ପତ୍ରରେ ଲାଗିବ ଗେରୁଆ ରଙ୍ଗ

ଭୁବନେଶ୍ୱର: ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି । ଯେଉଁଥିରେ ପିଲାଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍‌ ନମ୍ବର ଓ ଫୋନ୍‌ ନମ୍ବର ରହିବ । ପ୍ରଧାନଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବା ନିତ୍ୟାନ୍ତ ଆବଶ୍ୟକ , ବିଭିନ୍ନ ସମୟରେ ବାହାର ପିଲାମାନେ କ୍ୟାମ୍ପସ ଭିତରକୁ ପ୍ରବେଶ କରୁଥିବାରୁ ଆଇ-କାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ପିଲାମାନେ ସ୍କୁଲକୁ ଆସିବା ସମୟରେ ବେକରେ ଆଇ-କାର୍ଡ ପକାଇ ଆସିବେ । କେବଳ ଆଇ-କାର୍ଡ ରଙ୍ଗ ବଦଳି ନାହିଁ, ବରଂ ସ୍ଲୋଗାନ୍‌ ମଧ୍ୟ ବଦଳାଇ ଦିଆଯାଇଛି। ବିଜେଡି ସରକାର ସମୟରେ ପିଲାଙ୍କ ହାଉସ୍‌ ୟୁନିଫର୍ମ ଓ ଟୋପିରେ ‘ଆମେ ଗଢ଼ିବୁ-ନୂଆ ଓଡ଼ିଶା’ ସ୍ଲୋଗାନ ଲେଖାଯାଇଥିଲା । ହେଲେ ଏଥର ସ୍ଲୋଗାନ୍‌ ପରିବର୍ତ୍ତନ କରାଯାଇ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା’ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ହାଉସ୍‌ ୟୁନିଫର୍ମର ରଙ୍ଗରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଛାତ୍ରଛାତ୍ରୀଙ୍କ ଟ୍ରାକ୍‌ ପ୍ୟାଣ୍ଟ ନୀଳରଙ୍ଗ ରହିଥିବା ବେଳେ ଟି-ସାର୍ଟର ରଙ୍ଗ ସବୁଜ, ହଳଦୀ, ନାଲି, ନୀଳ ରଙ୍ଗ ରହିଛି । ଟୋପିର ରଙ୍ଗ ଧଳା ରହିବ ଏବଂ ସେଥିରେ ସ୍ଲୋଗାନ ସହ ଲୋଗୋ ଲାଗିବ। ଛାତ୍ରଛାତ୍ରୀଙ୍କ ପିଛା ୫୦୦ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ। ସେଥିରୁ ୨୦୦ ଟଙ୍କାରେ ଗୋଟିଏ ହଳ ଜୋତା ଓ ଦୁଇ ହଳ ମୋଜା,୧୨୫ ଟଙ୍କାରେ ଗୋଟିଏ ଟି-ସାର୍ଟ, ୧୨୫ ଟଙ୍କାରେ ଗୋଟିଏ ଟ୍ରାକ୍‌ ପ୍ୟାଣ୍ଟ, ୩୦ ଟଙ୍କାରେ ଗୋଟିଏ ଟୋପି ଓ ୨୦ ଟଙ୍କାରେ ଗୋଟିଏ ପରିଚୟପତ୍ର ଦିଆଯିବ। ପିଲାଙ୍କ ଜୋତା ରଙ୍ଗ କଳା ଓ ମୋଜା ରଙ୍ଗ ଧଳା ରହିବ ।

Exit mobile version