Nababharat News

ସୋଆ ର ପ୍ରଫେସର ସୁଶାନ୍ତ ମହାନ୍ତି ଆଇଏସ୍‌ପିପିଡିର ସଭାପତି ନିର୍ବାଚିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସ୍ ର ପେଡିଆଟ୍ରିକ୍ସ ଆଣ୍ଡ ପ୍ରିଭେନ୍‌ଟିଭ୍ ଡେଂଟିଷ୍ଟ୍ରି ବିଭାଗର ମୁଖ୍ୟ ପ୍ରଫେସର ସୁଶାନ୍ତ ମହାନ୍ତି ଇଣ୍ଡିଆନ୍ ସୋସାଇଟି ଅ ଫ୍ ପେଡିଆଟ୍ରିକ୍ସ ଆଣ୍ଡ ପ୍ରିଭେନ୍‌ଟିଭ୍ ଡେଂଟିଷ୍ଟ୍ରି ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଆଇଏସ୍‌ପିପିଡିର ୪୭ତମ ଜାତୀୟ ସମ୍ମିଳନୀରେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂବତର୍ନ ସଭାପତି ପ୍ରଫେସର ସୁଧୀନ୍ଦ୍ର ବାଲିଗାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଆଇଏସ୍‌ପିପିଡିର ସମ୍ମାନିତ ମହାସଚିବ ପ୍ରଫେସର ବରିନ୍ଦର ଗୋୟଲ ତାଙ୍କୁ ଔପଚାରିକ ଭାବେ ପଦବୀରେ ଅଭିଷିକ୍ତ କରିଥିଲେ । ସଭାପତି ଭାବେ ନିଜର ଅଭିଭାଷଣରେ ପ୍ରଫେସର (ଡାକ୍ତର) ମହାନ୍ତି ଆଇଏସ୍‌ପିପିଡି ସମ୍ପର୍କରେ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିବା ସହ ମାତୃ ଓ ସମୁଦାୟ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ପ୍ରସୂତି ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅଧିକ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଜୋର ଦେଇଥିଲେ । ଜଣେ ଗର୍ଭବତୀ ମହିଳାଙ୍କୁ ମୁଖ ଓ ସାଧାରଣ ସ୍ୱାସ୍ଥ୍ୟ ପାଇଁ ଅଲଗା ଅଲଗା ବ୍ୟବସ୍ଥାର ଆଶ୍ରୟ ନେବାକୁ ପଡ଼ିବା ଉଚିତ ନୁହେଁ ବୋଲି ସେ କହିଥିଲେ । ମାତୃ ମୁଖ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ସହ ଏହା ଶିଶୁର ଭବିଷ୍ୟତ ମୁଖ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ସେ ମତ ଦେଇଥିଲେ । ଗବେଷଣା ନେଇ ପ୍ରାଥମିକତା ଜାତୀୟ ଓ ଆଂଚଳିକ ଆବଶ୍ୟକତା ଉପରେ ଆଧାରିତ ହେବା ଆବଶ୍ୟକ ବୋଲି ପ୍ରଫେସର (ଡାକ୍ତର) ମହାନ୍ତି କହିଥିଲେ । ଏକାଧିକ ମୁଖ ସ୍ୱାସ୍ଥ୍ୟ ସମସ୍ୟା ଥିବା ଶିଶୁଙ୍କୁ ଜେନେରାଲ୍ ଆନେସ୍ଥେସିଆ ଅଧୀନରେ ସମନ୍ୱିତ ଓ ସଂପୂର୍ଣ୍ଣ ଚିକିତ୍ସା ପ୍ରଦାନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । ଏହାଦ୍ୱାରା ଏକାଧିକ ଚିକିତ୍ସା ଆବଶ୍ୟକ କରୁଥିବା ଶିଶୁଙ୍କୁ ଖଣ୍ଡ ଖଣ୍ଡ ଭାବେ ଚିକିତ୍ସା କରାଯିବା ପରିବର୍ତେ ଏକାସାଙ୍ଗରେ ସଂପୂର୍ଣ୍ଣ ଚିକିତ୍ସା ପ୍ରଦାନ କରାଯାଇପାରିବ ବୋଲି ସେ କହିଥିଲେ ।

Exit mobile version