Nababharat News

ଆଇସିୟୁ ବେଡ୍‌ରୁ ରୋଗୀ ଖସିପଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ

କଟକ: ଏସସିବି ଆଇସିୟୁରୁ ଚକିତ କଲାଭଳି ଚିତ୍ର ସାମ୍ନାକୁ ଆସିଥିଲା। ଡ୍ୟୁଟିରେ ଥିବା ଡାକ୍ତର, ନର୍ସିଂ ଅଫିସର ଏବଂ ଅନ୍ୟ କର୍ମଚାରୀମାନେ କର୍ତ୍ତବ୍ୟରେ ଅବହେଳା କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। କର୍ତ୍ତବ୍ୟରେ ଅବହେଳା କରିଥିବା ଜଣେ ପ୍ରଫେସରଙ୍କ ସମେତ ନର୍ସିଂ ଇନ୍‌ଚାର୍ଜ, ଦୁଇ ଜଣ ନର୍ସିଂ ଅଫିସର, ୩ ଜଣ ସୁରକ୍ଷା କର୍ମୀଙ୍କୁ ଅଧୀକ୍ଷକ ବଦଳି କରିଛନ୍ତି। ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଆସିବା ପରେ ଡ୍ୟୁଟିରେ ଥିବା ନର୍ସିଂ ଅଫିସରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ମେଡିସିନ୍‌ ଆଇସିୟୁରେ ରୋଗୀଙ୍କୁ ଉପଯୁକ୍ତ ଦେଖାଶୁଣା ଓ ସୁରକ୍ଷା ପାଇଁ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି। ଆଇସିୟୁ ପରିଚାଳନା ଲାଗି ପ୍ରଫେସର ଡା. ଜୟନ୍ତ କୁମାର ପଣ୍ଡା, ଆସୋସିଏଟ୍‌ ପ୍ରଫେସର ନିର୍ମଳ ସାହୁ ଓ ଅନ୍ୟ ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସହ ୬ ଜଣ ନର୍ସିଂ ଅଫିସର, ୬ ଜଣ ଆଟେଣ୍ଡାଣ୍ଟ୍‌, ୪ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ନିୟୋଜିତ କରାଯାଇଛି। ସେହିପରି ଆଇସିୟୁ ଡ୍ୟୁଟି ରୁମ୍‌ରେ ୪ଟି କ୍ୟାମେରା ଲଗାଇବା ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ରିଲିଭର୍‌ ବା ବଦଳିଆ କର୍ମଚାରୀ ନ ଆସିବା ପର୍ଯ୍ୟନ୍ତ ନର୍ସିଂ ଅଫିସର କିମ୍ବା ଆଟେଣ୍ଡାଣ୍ଟ ଡ୍ୟୁଟି ଛାଡ଼ି ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ରାଜନୈତିକ ବ୍ୟକ୍ତି ବିଶେଷ, ନିର୍ବାଚିତ ପ୍ରତିନିଧି କିମ୍ବା ସରକାରୀ ପଦାଧିକାରୀଙ୍କୁ ବିନା ଅନୁମତିରେ ଆଇସିୟୁ ଭିତରକୁ ନଛାଡ଼ିବା ପାଇଁ କୁହାଯାଇଛି। ଆଇସିୟୁରେ ଚିକିତ୍ସାଧୀନ ରୋଗୀଙ୍କୁ ଦିନକୁ ଦୁଇ ଥର ସାକ୍ଷାତ କରିବା ପାଇଁ ପୂର୍ବରୁ ଧାର୍ଯ୍ୟ ନିୟମ କଡ଼ାକଡ଼ି ପାଳନ କରାଯିବ। ଅଯଥାରେ ସମ୍ପର୍କୀୟ ଆଇସିୟୁ ଭିତରକୁ ନଯିବା ପାଇଁ ଅଧୀକ୍ଷକ ପରାମର୍ଶ ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ହେଲେ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀମାନେ ଦାୟୀ ରହିବେ ବୋଲି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସିକ୍ୟୁରିଟି ସଂସ୍ଥାକୁ ନିର୍ଦ୍ଦେଶ ଦେଇଛି।

Exit mobile version