Nababharat News

୧.୫ କୋଟି ଚାରା ରୋପଣ କରି ଓଡିଶା ଭାଙ୍ଗିଲା ଏକଦିବସୀୟ ଚାରା ରୋପଣର ସମସ୍ତ ରେକର୍ଡ

ଭୁବନେଶ୍ୱର: “ଏକ ପେଡ୍ ମା କେ ନାମ ଦ୍ୱିତୀୟ ସଂସ୍କରଣ” ଅଭିଯାନ ଅନ୍ତର୍ଗତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଅବସରରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ମଧ୍ୟରେ ୭୫ ଲକ୍ଷ ଚାରା ରୋପଣ କରିବା ପାଇଁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆହ୍ୱାନ କରିଥିଲେ । ଏହି ଆହ୍ୱାନକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରି ଓଡ଼ିଶାବାସୀ ବୁଧବାର ଅପରାହ୍ନ ୪.୩୦ ସୁଦ୍ଧା ୧,୪୯,୧୧,୩୩୯ ଗୋଟି ଚାରା ରୋପଣ କରି କେବଳ ଭାରତ ବର୍ଷ ନୁହଁ, ବିଶ୍ୱ ରେକର୍ଡ ସ୍ଥାପନ ପୂର୍ବକ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି । ସେଥିପାଇଁ ସମ୍ପୃକ୍ତ ସମସ୍ତ ବିଭାଗ, ସ୍ବେଛାସେବୀ ଅନୁଷ୍ଠାନ, ଛାତ୍ର-ଛାତ୍ରୀ, ଆବାଳ-ବୃଦ୍ଧ-ବନିତା ସମସ୍ତଙ୍କୁ ବିଭାଗ ପକ୍ଷରୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏହା ପୂର୍ବରୁ ମଧ୍ୟପ୍ରଦେଶ ସରକାର ଗୋଟିଏ ଦିନରେ ୧୧ ଲକ୍ଷ ଚାରା ରୋପଣ କରି ରେକର୍ଡ ସୃଷ୍ଟିକରିଥିଲା । ତା’ପୂର୍ବରୁ ଆସାମ ସରକାର ଗୋଟିଏ ଦିନରେ ୯ ଲକ୍ଷ ୨୬ ହଜାର ଚାରା ରୋପଣ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲା । କିନ୍ତୁ, ଓଡିଶା ମାତ୍ର କେଇ ଘଣ୍ଟା ଭିତରେ ୧.୫ କୋଟି ଚାରା ରୋପଣ କରି ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି । ସ୍ଥାପନ କରିଛି ଏକ ଅବିଶ୍ୱାସନୀୟ ଓ ଅବିସ୍ମରଣୀୟ ମହାମାନବୀୟ କୀର୍ତ୍ତି । ସୁନ୍ଦରଗଡ଼ ଜିଲ୍ଲା ୧୪,୨୧,୬୧୮ ଚାରା ରୋପଣ ସହ ଏହି ଅଭିଯାନରେ ଶୀର୍ଷରେ ରହିଛି । କୋରାପୁଟ ୧୧,୦୧,୬୨୪ ଚାରା ରୋପଣ ସହିତ ଦ୍ଵିତୀୟ ଏବଂ କେନ୍ଦୁଝର ୧୦,୪୨,୯୨୭ ଚାରା ରୋପଣ ସହିତ ତୃତୀୟ ସ୍ଥାନରେ ରହିଛି । ମୟୁରଭଞ୍ଜ ୯,୧୭,୬୫୯ ଏବଂ ଏବଂ କଳାହାଣ୍ଡି ୭,୬୭,୫୧୦ ଚାରା ରୋପଣ ସହିତ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି । ୧,୩୧,୮୮୫ ଚାରା ରୋପଣ ସହିତ ଦେବଗଡ ତାଲିକାର ଶେଷରେ ରହିଛି ।

Exit mobile version