ପୁରୀ: ଶ୍ରୀମନ୍ଦିର ପ୍ରଶାସନର ବାରମ୍ବାର ନିବେଦନ ସତ୍ତ୍ୱେ ବିଦେଶରେ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ବନ୍ଦ କରୁନି ଇସ୍କନ। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ମହାରାଜା। ବିଦେଶରେ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଗଜପତି ମହାରାଜା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏ ନେଇ ଗଜପତି ମହାରାଜା ପୁଣି ଏକ ଚିଠି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି। ଜଗନ୍ନାଥ ସଂସ୍କୃତି ପରମ୍ପରାକୁ ଇସ୍କନ ବାରମ୍ବାର ଅବମାନନା କରି ବିଦେଶରେ ଅଦିନିଆ ରଥଯାତ୍ରା, ସ୍ନାନଯାତ୍ରା ଆୟୋଜନ କରୁଥିବାରୁ କୋଟି କୋଟି ଜଗନ୍ନାଥ ଭକ୍ତଙ୍କୁ ଆଘାତ ଦେଉଛି। ଏଣୁ ଜଗନ୍ନାଥ ସଂସ୍କୃତିର ସୁରକ୍ଷା, କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଗୁରୁତ୍ଵ ଦିଆଯାଇ ବିଦେଶରେ ଇସ୍କନ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପଦକ୍ଷେପ ନେବାକୁ ପୁରୀ ଗଜପତି ମହାରାଜା ଚିଠି ଲେଖି ଅନୁରୋଧ କରିଛନ୍ତି। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ କହିଛନ୍ତି, ”ଇସ୍କନ ମହାପ୍ରଭୁଙ୍କ ବିଧି ପରମ୍ପରାକୁ ଉଲଘଂନ କରି ବିଦେଶରେ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ କରୁଛି। ଏହାକୁ ବନ୍ଦ କରିବା ପାଇଁ ଆମେ ଗତ ଜୁଲାଇ ୪ ତାରିଖରେ ପଶ୍ଚିମବଙ୍ଗ ମାୟାପୁରିରେ ଥିବା ଇସ୍କନର ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲୁ। ଗତ ୧୯ ଅକ୍ଟୋବର ୨୦୨୫ ରେ ଇସ୍କନ ନିଷ୍ପତ୍ତି ନେଇଥିଲା ସାରା ବିଶ୍ୱରେ ତିଥି ଅନୁସାରେ ଗୋଟିଏ ଦିନରେ ସ୍ନାନ ଯାତ୍ରା ଆୟୋଜନ କରିବେ। ହେଲେ ଏହି ନିଷ୍ପତ୍ତିକୁ ଇସ୍କନ ମାନିଲା ନାହିଁ। ବିଦେଶରେ ଅଦିନିଆ ସ୍ନାନଯାତ୍ରା ଆୟୋଜନ କରିଲା। ଆଗାମୀ ଦିନରେ ଅୟୋଜନ ମଧ୍ୟ ହେବ ବୋଲି କୁହାଯାଇଛି’’।
ଅଦିନିଆ ରଥଯାତ୍ରା ପ୍ରସଙ୍ଗ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି ମହାରାଜା
