Nababharat News

ରାମଚଣ୍ଡୀଠାରେ ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ ଉଦଘାଟିତ

କୋଣାର୍କ:ଓଡ଼ିଶାର ଉପକୂଳ ସୁରକ୍ଷା, ଜଳ ଦକ୍ଷତା (ୱାଟରମ୍ୟାନସିପ୍) ଏବଂ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ମାଇଲଖୁଣ୍ଟ ସ୍ଥାପନ କରି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋଣାର୍କ ନିକଟସ୍ଥ ରାମଚଣ୍ଡୀଠାରେ ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ (OSWALI)ଉଦଘାଟନ କରିଛନ୍ତି ।ଏହି ଅବସରରେ ରାଜ୍ୟରେ ଉନ୍ନତ ଅଣ୍ଡରୱାଟର ଉଦ୍ଧାର ତାଲିମକୁ ବ୍ୟାପକ କରିବା ପାଇଁ ପରିକଳ୍ପିତ ଅତ୍ୟାଧୁନିକ ସ୍କୁବା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଥିଲା । ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ମଧ୍ୟରେ ବୁଝାମଣା ପତ୍ର ମଧ୍ୟ ସ୍ଵାକ୍ଷର ହୋଇଥିଲା l ଏମ୍ଓୟୁ (MoU) ସ୍ୱାକ୍ଷର ଅବସରରେ ନିଜ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳ ସୁରକ୍ଷା, ଲାଇଫ ଗାର୍ଡ ତାଲିମ ଏବଂ ଉପକୂଳବର୍ତ୍ତୀ ସହନଶୀଳତା ପାଇଁ OSWALI ପ୍ରତିଷ୍ଠାନ ଏକ ଉତ୍ସର୍ଗୀକୃତ ଜାତୀୟ ତଥା ଅନ୍ତର୍ଜାତୀୟ କେନ୍ଦ୍ର ଭାବରେ ଉଭା ହେବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ତଥା ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟି ହେଉଥିବା ବର୍ଦ୍ଧିତ ବିପଦକୁ ମୁକାବିଲା କରିବା ପାଇଁ ଓଡ଼ିଶାର କ୍ଷମତାକୁ ବୃଦ୍ଧି କରିବ । ସେ କହିଥିଲେ ଯେ ୧୨ କୋଟି ଟଙ୍କା ଖର୍ଚ୍ଚରେ ଏହି ‘ସନ୍ତରଣ ଶିକ୍ଷା ଓ ଲାଇଫ୍ ଗାର୍ଡ’ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଚଳିତ ବଜେଟରେ ବୁଡାଳୀ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ଆଉ ଅଧିକ ୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମାଧ୍ୟମରେ ଆଜି ଏହି ବୁଡାଳୀ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ଭିତ୍ତି ପ୍ରସ୍ତର ଦିଆଗଲା। ଏହି ନୂଆ ପ୍ରକଳ୍ପର କାମ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନ କୁ ନିର୍ଦ୍ଦେଶ ଦେଇଥିଲେ ।

Exit mobile version