Nababharat News

ରାଜଗାଙ୍ଗପୁର ଟାୟାର କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ ଥିବା ଏକ ଟାୟାର କାରଖାନାରେ ଆଜି ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରାଜଗାଙ୍ଗପୁର ପଦା ଜାମପାଲିସ୍ଥିତ ‘ଆଟିଟିୟୁଡ଼ ଏକଜିମ ପ୍ରାଇଭେଟ୍ ଲିମିଟେଡ୍’  ନାମକ ଏକ ଟାୟାରରୁ ତେଲ ବାହାର କରୁଥିବା କାରଖାନାରେ ଏହି ଅଘଟଣ ଘଟିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଖବର ପାଇ ରାଜଗାଙ୍ଗପୁର ପୋଲିସ ଏବଂ କୁତ୍ରା ଓ ରାଜଗାଙ୍ଗପୁରରୁ ୩ଟି ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିଆଁର ପ୍ରକୋପ ଅଧିକ ଥିବାରୁ ଏହାକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ତେବେ କାରଖାନାରେ କେଉଁ କାରଣରୁ ନିଆଁ ଲାଗିଲା, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏହି ଅଗ୍ନିକାଣ୍ଡ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କାଳିଆ ଧୂଆଁର ଆସ୍ତରଣ ଖେଳିଯାଇଛି।

Exit mobile version