ଭୁବନେଶ୍ୱର: ରବିବାର ଜଟଣୀର ଇନଫୋଭ୍ୟାଲି-୨ରେ ଆରବିଆଇର ଅତ୍ୟାଧୁନିକ ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟରକୁ ଲୋକାର୍ପଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁପିଆଇ, ଏନଇଏଫଟି ଓ ଆରଟିଜିସି ଭଳି ଡିଜିଟାଲ୍ କାରବାରର ତଥ୍ୟ ସୁରକ୍ଷିତ ରଖିବା ସହ ସାଇବର ଆକ୍ରମଣ ଓ ବୈଷୟିକ ସମସ୍ୟା ସମୟରେ ବ୍ୟାଙ୍କିଙ୍ଗ୍ ସେବା ଅବ୍ୟାହତ ରଖିବାରେ ଏହା ସହାୟକ ହେବ। ଏଠାରେ କ୍ଲାଉଡ୍ କମ୍ପ୍ୟୁଟିଂ, ଏଆଇ ଓ ବିଗ୍ ଡାଟା ଆନାଲିଟିକ୍ସ ସହ ସାଇବର ସୁରକ୍ଷା ପ୍ରଶିକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଦେଶର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ ଓ ସୁଦୃଢ଼ କରିବାରେ ଏହି ଡାଟା ସେଣ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପ୍ରାୟ ୧୭୦ କୋଟି ଟଙ୍କାରେ ଜଟଣୀରଇନ୍ଫୋଭ୍ୟାଲି-୨ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗ୍ରୀନଫିଲ୍ଡ ଡାଟା ସେଣ୍ଟର ଓ ଏଣ୍ଟରପ୍ରାଇଜ୍ କମ୍ପ୍ୟୁଟିଂ ଓ ସାଇବର ସୁରକ୍ଷା ତାଲିମ ପ୍ରତିଷ୍ଠାନ ନିର୍ମାଣ ହୋଇଛି। ଏହା ନଭି ମୁମ୍ବାଇ ପରେ ଦେଶର ଦ୍ୱିତୀୟ ଆରବିଆଇ ଡାଟା ସେଣ୍ଟର। ଓଡ଼ିଶା ମାଟିରୁ ଏହାକୁ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ମୋଦି। ଏହାପରେ ସେ କହିଛନ୍ତି ଯେ ମହାପ୍ରଭୁଙ୍କ ଆଶୀର୍ବାଦରୁ ଭୁବନେଶ୍ୱରରେ ନୂଆ ସଂସ୍ଥା ଖୋଲିଛି।ନୂଆ ଭାରତ ନିର୍ମାଣରେ ନୂଆ ଅବଦାନ ଭେଟିଦେଲା। ଦେଶର ବିକାଶରେ ଛୋଟ ସହରର ବଡ଼ ଭୂମିକା ରହିବା ଦରକାର।ଏହି ସଂସ୍ଥା ଓଡ଼ିଶାର ଓ ଦେଶର ବିକାଶ ପାଇଁ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।
ଜଟଣୀ ‘ଇନଫୋ ଭ୍ୟାଲି-୨’ରେ ଆରବିଆଇ ଡାଟା ସେଣ୍ଟରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
