Nababharat News

ଓଡ଼ିଶାରେ ରନ୍ଧନ ଗ୍ୟାସ ସଙ୍କଟ ନାହିଁ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ରନ୍ଧନ ଗ୍ୟାସର କୌଣସି ଅଭାବ ନାହିଁ । ଜନସାଧାରଣଙ୍କୁ ଏଥି ନେଇ ବିଶେଷ ଚିନ୍ତିତ ନ ହେବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି। ବିଶେଷ କରି ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଗ୍ୟାସ ଅଭାବ ହେବା ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଥିଲା, ତାହାକୁ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ରନ୍ଧନ ଗ୍ୟାସ ଏବଂ ବିଭିନ୍ନ ତୈଳ କମ୍ପାନୀର କର୍ତ୍ତୃପକ୍ଷଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ଆବଶ୍ୟକ ପରିମାଣର LPG ବା ରନ୍ଧନ ଗ୍ୟାସ ମହଜୁଦ ରହିଛି। ଯୋଗାଣ ଶୃଙ୍ଖଳା ସାଭାବିକ ଅଛି ଏବଂ ଆଗକୁ ମଧ୍ୟ ଏଥିରେ କୌଣସି ବାଧା ଉପୁଜିବ ନାହିଁ। ଶିକ୍ଷାନୁଷ୍ଠାନ, ହଷ୍ଟେଲ ଏବଂ ଡାକ୍ତରଖାନା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ରନ୍ଧନ ଗ୍ୟାସ ଯୋଗାଣରେ କୌଣସି ସମସ୍ୟା ନାହିଁ। ଏହି ସ୍ଥାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଗ୍ୟାସ ଯୋଗାଇ ଦିଆଯାଉଛି। IOCL, BPCL ଏବଂ HPCL ଭଳି ପ୍ରମୁଖ ତୈଳ କମ୍ପାନୀର ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ। ସେମାନେ ନିଶ୍ଚିତ କରିଛନ୍ତି ଯେ ରାଜ୍ୟର ବିଭିନ୍ନ ବୋଟଲିଂ ପ୍ଲାଣ୍ଟରେ ପର୍ଯ୍ୟାପ୍ତ ଗ୍ୟାସ ରହିଛି। ରାଜ୍ୟରେ ରନ୍ଧନ ଗ୍ୟାସ ଓ ଇନ୍ଧନ ତୈଳ ଉପଲବଧତା ନେଇ ତୈଳ କମ୍ପାନୀ କର୍ତ୍ତୃପକ୍ଷମାନେ କେନ୍ଦ୍ର ସରକାରଙ୍କୁ ଯେଉଁ ବିବରଣୀ ପ୍ରଦାନ କରୁଛନ୍ତି ତାହାର ଏକ ରିପୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ ଖାଦ୍ୟ ଯେଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ପ୍ରତିଦିନ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି।

Exit mobile version