ଭୁବନେଶ୍ୱର: ଆଜି ପଣାସଂକ୍ରାନ୍ତି ତଥା ଓଡିଆ ନବବର୍ଷ । ଓଡିଆ ନବବର୍ଷ ଉପଲକ୍ଷେ ନୂତନ ପଞ୍ଜିକାର ଶୁଭାରମ୍ଭ ହୁଏ । ଓଡିଆ ପରମ୍ପରା ଅନୁଯାୟୀ ପଣାସଂକ୍ରାନ୍ତି ଅବସରରେ ଘରେ ଘରେ ପଣା ପ୍ରସ୍ତୁତ କରାଯାଏ, ଏହାସହିତ ପ୍ରତି ଘରର ମା ବୃନ୍ଦାବତୀଙ୍କ ଉପରେ ଏକ ମାଟିର ଠେକି ପାଣି ପୂରାଇ ବନ୍ଧଯାଏ। ଆଜିର ଦିନରେ ହନୁମାନ ଜୟନ୍ତୀ ମଧ୍ୟ ପାଳିତ ହୋଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ ନେତା ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡିଶାରେ ମହା ବିଶୁବ ସଂକ୍ରାନ୍ତି, ଓଡିଆ ନବବର୍ଷ ପାଳନ, ଓଡ଼ିଆଙ୍କ ପାଇଁ ବଡ଼ ଦିନ ହୋଇଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇ ସେ ଭାରତ ଏବଂ ବିଦେଶର ନାଗରିକମାନଙ୍କୁ ବୈଶାଖୀ, ବିଷୁ, ବିଷୁବ, ବୋହାଗ ବିହୁ, ପୋଇଲା ବୈଶାଖ, ମେସାଦି, ବୈଶାଖଦି, ପୁଥାଣ୍ଡୁ ଏବଂ ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି। ଏହି ପବିତ୍ର ଅବସରରେ, ମୁଁ ଭାରତ ଏବଂ ବିଦେଶରେ ଥିବା ମୋର ସମସ୍ତ ସହବାସୀଙ୍କୁ ମୋର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି ବୋଲି ରାଷ୍ଟ୍ରପତି ଲେଖିଛନ୍ତି। ଆଜି ଓଡିଆଙ୍କ ପାଇଁ ଏକ ବଡ଼ ଦିନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ X ପୋଷ୍ଟରେ ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ପଣାସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଆରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ନୂତନ ବର୍ଷ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣିବ। ସେ ବିଶ୍ୱ ସ୍ତରରେ ଓଡିଆ ପରିଚୟ ଏବଂ ସଂସ୍କୃତିକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଆଗାମୀ ବର୍ଷରେ ନୂତନ ଆଶା ଏବଂ ସୁଯୋଗ ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସେହିପରି ସମ୍ଭାବନା, ସଫଳତା ଏବଂ ସମୃଦ୍ଧିର ସମୟ ଭାବରେ ଏହି ପର୍ବର ମହତ୍ତ୍ୱ ଉପରେ ଆଲୋକପାତ କରି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭେଚ୍ଛା ଜଣାଇଥିଲେ। ଉପ-ମୁଖ୍ୟମନ୍ତ୍ରୀ କେ ଭି ସିଂହ ଦେଓ ମଧ୍ୟ ସମସ୍ତ ପ୍ରିୟ ଓଡିଆ ଭାଇ ଓ ଭଉଣୀମାନଙ୍କୁ, ମହାବିଷୁବ ସଂକ୍ରାନ୍ତିର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି ।
ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତିଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ
