Nababharat News

ଓଏଏସ ଅଧିକାରୀଙ୍କୁ ମାଡ଼ ଘଟଣାରେ ସରକାର ନେବେ ନିଷ୍ପତ୍ତି: ମନମୋହନ ସାମଲ

ଭୁବନେଶ୍ୱର: ଜଗନ୍ନାଥ ପ୍ରଧାନ ଙ୍କୁ ଗିରଫ ନକଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟ‌ନ୍ତ କଲମଛାଡ଼ ଆନ୍ଦୋଳନ ଜାରି ରଖିବାକୁ ଓଏଏସ୍‌ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟ ଭାବେ ଜଣାଇଛନ୍ତି। ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଦିନ ସନ୍ଧ୍ୟା ରେ ବିଜେପି କାର୍ଯ୍ୟାଳୟରେ ମନମୋହନଙ୍କ ସହ ଜଗାଙ୍କ ଦୁଇ ଘଣ୍ଟା ଆଲୋଚନା ହୋଇଛି । ଏହି ସମୟରେ ବିଧାୟକ ବାବୁ ସିଂହ ଓ ଇରାଶିଷ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ। ଆଲୋଚନା ପରେ ମ‌ନମୋହନ ସାମଲ କହିଛନ୍ତି, ବିଏମ୍‌ସି କାର୍ଯ୍ୟାଳୟରେ ଆକ୍ରମଣ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ସରକାର ସେ ବିଷୟରେ ଚିନ୍ତା କରୁଛନ୍ତି। ଆମେ ଜଗନ୍ନାଥ ପ୍ରଧାନଙ୍କୁ ଆଲୋଚନା ପାଇଁ ଡାକିଥିଲୁ। ଦଳର ଆଭ୍ୟନ୍ତରୀଣ କଥା ଗଣମାଧ୍ୟମ ଆ‌ଗରେ କହିବା ଠିକ୍‌ ହେବ ନାହିଁ। ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି, ରାଜ୍ୟ ସଭାପତି ମନମୋହନ ସାମଲ ଓ ଜଗନ୍ନାଥ ପ୍ରଧାନ କଥା ହୋଇଛନ୍ତି। ଆମେ ବାହାରେ ବସିଥିଲୁ। ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ମାଡ଼ ମରାଯିବା ଘଟଣାକୁ ଆମେ ନିନ୍ଦା କରୁଛୁ। ଅନ୍ୟପଟେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଲିସ ୫ ଜଣଙ୍କ ବ୍ୟତୀତ ଅନ୍ୟ କାହାକୁ ଗିରଫ କରି ନଥିବା ସୂଚନା ମିଳିଛି।

Exit mobile version