Nababharat News

କୋର୍ଟଙ୍କ ଆଦେଶ ଅବମାନନା ଅଭିଯୋଗରେ ଖୁରାନିଆଙ୍କୁ ନୋଟିସ

ଭୁବନେଶ୍ୱର: ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ହାଇକୋର୍ଟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଆବଦେନକାରୀ ସାଗରିକା ପରିଡ଼ାଙ୍କ ପକ୍ଷରୁ ଅଦାଲତ ଅବମାନନା ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ବାରମ୍ବାର ସୁଯୋଗ ଦିଆଯିବା ସ‌ତ୍ତ୍ୱେ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ନ ହେବା ଓ ମାମଲାରେ ବିଭ୍ରାନ୍ତିମୂଳକ ସତ୍ୟପାଠ ଦାଖଲ କରିବା ଅଭି‌ଯୋଗକୁ ହାଇକୋର୍ଟ ଗୁରୁତ୍ୱର ସହ ନେଇଛନ୍ତି। ୨୦୨୫, ସେପ୍ଟେମ୍ବର ୨୫ ଆଦେଶକୁ ଜାଣିଶୁଣି ଉଲ୍ଲଂଘନ ପାଇଁ କାହିଁକି ତାଙ୍କ ବିରୋଧରେ ଅଦାଲତ ଅବମାନନା ଆଇନର ଧାରା ୧୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ନେଇ କାରଣ ଦର୍ଶାଇବାକୁ ଶ୍ରୀ ଖୁରାନିଆଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ। ଯୋଗେଶ ବାହାଦୂର ଖୁରାନିଆ ଅବସର ନେଇ ସାରିଥିବାରୁ ପୁଲିସ ଆଇଜି (ପର୍ସୋନେଲ) ତାଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରଦାନ କରିବେ। କାରଣ ଦର୍ଶାଅ ନୋଟିସ ପାଇବାର ୭ ଦିନ ଭିତରେ ପୂର୍ବତନ ଡିଜିପି ଜବାବ ରଖିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଅଗଷ୍ଟ ୧୬ ତାରିଖରେ ସେ ଅବସର ନେଇ ସାରିଥିଲେ ମଧ୍ୟ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

Exit mobile version