ନୟାଗଡ଼: ନୟାଗଡ ଜିଲ୍ଲା ସୋଲପଟା ଗାଁରେ ଡକାୟତି ଉଦ୍ୟମ ବିଫଳ ହେବାରୁ ବୋମାମାଡ଼ ହୋଇଛି । ଏହି ଘଟଣାରେ ୩ ଗ୍ରାମବାସୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ ଏହି ଘଟଣାରେ ଜଣଙ୍କୁ କାବୁ କରିଛନ୍ତି ଗ୍ରାମବାସୀ।
ଖବର ଅନୁଯାୟୀ, ଗାଁରେ ରାସ୍ତା କାମ ଚାଲୁଥିବାରୁ ୨ ଜଣ ଯୁବକ ସିମେଣ୍ଟ ଜଗିଥିଲେ । ଗତକାଲି ବିଳମ୍ବିତ ରାତିରେ ୨ଟି ମୋଟର ସାଇକେଲ୍ରେ ଆସି ଡକାୟତି ଉଦ୍ୟମ କରିଥିଲେ ୪ ଦୁର୍ବୃତ୍ତ। ଲୁଟ୍ ଉଦ୍ଦେଶ୍ୟରେ ଭାଟସାହି ଗାଁ ଭିତରକୁ ପଶିଥିଲେ। ଗାଁ ଲୋକଙ୍କର ସନ୍ଦେହ ହେବାରୁ ସେମାନଙ୍କୁ ଅଟକାଇ ପ୍ରଶ୍ନ କରଥିଲେ। ପରେ ଯୁକ୍ତିତର୍କ ଓ ପାଟିତୁଣ୍ଡ ପର୍ଯ୍ୟନ୍ତ ପହଞ୍ଚିଥିଲା କଥ। ଖସିବା ପାଇଁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ। ଏଥିରେ ୩ ଗ୍ରାମବାସୀ ଆହତ ହୋଇଥିଲେ। ତେବେ ଜଣେ ଦୁର୍ବୃତ୍ତକୁ କାବୁ କରି ପୋଲିସକୁ ଜିମା ଦେଇଛନ୍ତି ଗ୍ରାମବାସୀ। ଅନ୍ୟ ୩ ଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ବୋମାମାଡରେ ଗାଁର ଉପେନ୍ଦ୍ର ଖଟେଇ, ସୁମନ୍ତ ବାରିକ ଏବଂ ଶତୃଘ୍ନ ବାରିକ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । କାବୁ ହୋଇଥିବା ବ୍ୟକ୍ତି ଜଣକ ହେଲେ କଇଥଗାଡିଆ ଗାଁର ଅକୃର ପ୍ରଧାନ । ଖବରପାଇ ପୋଲିସ ଅକୃରକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ବୋମାମାଡ଼ରେ ଆହତ ବ୍ୟକ୍ତିଙ୍କ ସମ୍ପର୍କୀୟ ମେଡିକାଲରେ ପଶି ଅକୃରକୁ ନିର୍ଦ୍ଦୁମ ଛେଚିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।
ଡକାୟତି ଉଦ୍ୟମ ବିଫଳ ହେବାରୁ ବୋମାମାଡ଼
