ଭୁବନେଶ୍ୱର: ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଲେଖିଛନ୍ତି ଯେ, କୃଷି ହେଉଛି ଓଡିଶାର ଜୀବନରେଖା। ତଥାପି ପ୍ରଶାସନିକ ଉଦାସୀନତା ଓ ଲୋକଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଯୋଗୁ ଚଳିତ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆମ ଚାଷୀମାନଙ୍କ ପାଇଁ ଏକ ସଂଘର୍ଷମୟ ସ୍ଥିତି ସୃଷ୍ଟି କରିଛି। ମଣ୍ଡିରେ ଚାଷୀଙ୍କୁ ହଇରାଣ କରାଯାଉଛି। ୧୫୦ କ୍ଵିଣ୍ଟାଲ ଉପରେ ଇନପୁଟ୍ ସବସିଡି ଅଙ୍କୁଶ, ଧାନର ଅଭାବୀ ବିକ୍ରିକୁ ନେଇ ନବୀନ ପ୍ରଶ୍ନ ଉଠାଇଛନ୍ତି। ପୁଣି ଲେଖିଛନ୍ତି ଯେ, ୨୦୨୪ ନିର୍ବାଚନ ସମୟରେ ବିଜେପିର ନିର୍ବାଚନୀ ଇସ୍ତାହାରର ଦୁଇ ନମ୍ବର ପଏଣ୍ଟରେ ଧାନର ସର୍ବାଧିକ ସହାୟକ ମୂଲ୍ୟ ବୃଦ୍ଧି ଓ କଟନୀ-ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରିବା ସମ୍ପର୍କରେ ଚାଷୀ ଭାଇଭଉଣୀମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ବାସ୍ତବ ଚିତ୍ର ଭିନ୍ନ। ମଣ୍ଡି ଗୁଡ଼ିକ ଏବେ ନିର୍ଯାତନାର କେନ୍ଦ୍ର ପାଲଟିଛି। ଆଦ୍ରତା ଓ ନିମ୍ନ ମାନର ଧାନ ଆଳ ଦେଖାଇ କ୍ୱିଣ୍ଟାଲ ପିଛା ୫ ରୁ ୭ କେଜି ପର୍ଯ୍ୟନ୍ତ କଟନୀ-ଛଟନୀ କରାଯାଉଛି। ଯାହାକି ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ମିଲର ଓ ସ୍ଥାନୀୟ ଅଧିକାରୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଚାଷୀମାନଙ୍କ କଠିନ ପରିଶ୍ରମର ମୂଲ୍ୟ ପାଉନାହାନ୍ତି। ଏ କଟନୀ ଛଟନୀ କେବେ ବନ୍ଦ ହେବ ? ସରକାର କେବେ ପ୍ରତିଶ୍ରୁତି ପାଳନ କରିବେ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ପୁଣି ରାଜ୍ୟର ସବୁ ଚାଷୀ ଭାଇ ଭଉଣୀଙ୍କୁ କ୍ୱିଣ୍ଟାଲ ପିଛା ଇନପୁଟ୍ ସବ୍ସିଡି ୮୦୦ ଟଙ୍କା ଲେଖାଏଁ ଦେବା ପାଇଁ ବିଜେପି ସରକାର ଘୋଷଣା କରିଥିଲେ। କିନ୍ତୁ ନିକଟରେ ସରକାର ଏହି ସବ୍ସିଡି ପାଇଁ ଚାଷୀ ପିଛା ସର୍ବାଧିକ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍ ଧାର୍ଯ୍ୟ କରି ପ୍ରତିଶ୍ରୁତି ଭାଙ୍ଗିଛନ୍ତି। ଏହି ସିଲିଙ୍ଗ୍ ଅଧିକ ଉତ୍ପାଦନ କରୁଥିବା ଚାଷୀମାନଙ୍କ ପାଇଁ ଦଣ୍ଡ ପାଲଟିଛି। ଚାଷୀଙ୍କୁ ସେମାନଙ୍କର ସମଗ୍ର ଉତ୍ପାଦନ ଉପରେ ୩୧୦୦ ଟଙ୍କା ଇନପୁଟ୍ ସବ୍ସିଡି ଦେବା ଘୋଷଣାରୁ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ? ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟରେ ଭାରତ ସରକାର ଧାନର ସଂଗ୍ରହ ମୂଲ୍ୟରେ ୬୯ ଟଙ୍କା ବୃଦ୍ଧି କରିଛନ୍ତି । ଓଡ଼ିଶାର ଚାଷୀଙ୍କୁ ଏହି ବର୍ଦ୍ଧିତ ୬୯ ଟଙ୍କା ନଦେବା ଏକ ପ୍ରତାରଣା ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। କଟନୀ-ଛଟନୀ ବନ୍ଦ କରିବା ପାଇଁ ତୁରନ୍ତ ମଣ୍ଡି ଗୁଡିକରେ ସ୍ପେଶାଲ ସ୍କ୍ୱାର୍ଡ ନିୟୋଜିତ, ଦୋଷୀ ମିଲ୍ ମାଲିକ ଓ ସରକାରୀ ଅଫିସରଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ, ଇନପୁଟ୍ ସବ୍ସିଡି ପ୍ରଦାନ ପାଇଁ ରଖାଯାଇଥିବା ଚାଷୀ ପିଛା ସର୍ବାଧିକ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍ ସର୍ତ୍ତ ପ୍ରତ୍ୟାହାର, ରେଜେଷ୍ଟ୍ରିଭୁକ୍ତ ସବୁ ଚାଷୀଙ୍କ ଠାରୁ ସବୁ ଧାନ କିଣିବା, ସବୁ ଚାଷୀଙ୍କୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ପ୍ରାପ୍ୟ, ୭୨ ଘଣ୍ଟା ମଧ୍ୟରେ ମଣ୍ଡିରୁ ଧାନ ଉଠାଣ ପାଇଁ ନବୀନ ଦାବି କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନଙ୍କ ଚିଠି…
