Nababharat News

ଥାନାକୁ ଯାଇ ପୋଲିସ ବିରୁଦ୍ଧରେ ଏତଲା ଦେଲେ ନର୍ଲା ବିଧାୟିକ

ଭୁବନେଶ୍ୱର: ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ନର୍ଲା ବିଧାୟିକାଙ୍କ ସରକାରୀ ବାସଭବନରେ କେସିଙ୍ଗା ପୋଲିସ ପଶିବାକୁ ନେଇ ରାଜନୀତି ତୀବ୍ର ହୋଇଛି। କେସିଙ୍ଗା ପୋଲିସ ବିରୁଦ୍ଧରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିଧାୟିକା ମନୋରମା ମହାନ୍ତି। ବିଧାୟିକା କେସିଙ୍ଗା ଏସଡିପିଓ ଓ ଅନ୍ୟ ଦୁଇ ଜଣ ପୋଲିସ ଅଧିକାରୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ପୋଲିସ ବିନା ଅନୁମତିରେ ତାଙ୍କ ସରକାରୀ ବାସଭବନର କବାଟ ଏବଂ ଝରକା କାଚ ଭାଙ୍ଗି ପଶିଥିଲେ। ଘରେ କେବଳ ତାଙ୍କ ଝିଅ ଏବଂ ସହାୟିକା ଥିବା ବିଧାୟିକା ଅଭିଯୋଗ କରିଛନ୍ତି। ବିଧାନସଭା ଚାଲୁ ରହିଥିବାବେଳେ ପୋଲିସ ଜଣେ ବିଧାୟିକାଙ୍କ ଘରକୁ କେମିତି ପ୍ରବେଶ କଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ବିଧାୟିକାଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ତହସିଲଦାର ବିଭୁ ପ୍ରସାଦଙ୍କୁ ହତ୍ୟା ଧମକ ଦେଇଥିବା କେସିଙ୍ଗା ପୋଲିସ ନିକଟରେ ଅଭିଯୋଗ ହୋଇଛି। ଗତକାଲି କେସିଙ୍ଗା ପୋଲିସ ବିଧାୟିକାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ପୋଲିସ ଚଢ଼ଉ କରିଥିଲା। ମାତ୍ର ସେଠାରେ ମନୋରମାଙ୍କ ସ୍ୱାମୀଙ୍କୁ ପାଇନଥିଲେ। ଘରୋଇ ସହାୟିକା ସଙ୍ଗୀନ ଅଭିଯୋଗ କରିଥିଲେ। ସେ ଘରେ ଏକୁଟିଆ ଥିଲେ ଏବଂ ଗାଧୋଇ ସାରି କପଡ଼ା ବଦଳାଇବାକୁ ଯାଉଥିବାବେଳେ ପୋଲିସ କିଛି ସୂଚନା ନ ଦେଇ ପଶିଥିଲା। ଯେଉଁଥିପାଇଁ ସେ ବହୁତ ଅସହଜ ଅନୁଭବ କରିଥିଲେ ବୋଲି କହିଥିଲେ। ଅନ୍ୟପକ୍ଷେ କଳାହାଣ୍ଡି ଏସପି ଚଢ଼ଉ ଅଭିଯୋଗକୁ ଖଣ୍ଡନ କରିଥିଲେ। ତଲାସୀ ପାଇଁ ନୁହେଁ ବରଂ ପୋଲିସ ନୋଟିସ୍ ଦେବାକୁ ଯାଇଥିଲା ବୋଲି ଏସପି କହିଥିଲେ ।

Exit mobile version