ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (OISF)ର ୨ଟି ନୂଆ ବାଟାଲିୟନ୍ ହେବ । ତୃତୀୟ ଓ ଚତୁର୍ଥ ବାଟାଲିୟନ ନାମରେ ଏହା ନାମିତ ହେବ । ଏହି ଦୁଇଟି ନୂତନ ବାଟାଲିୟନ୍ ପାଇଁ ସମୁଦାୟ ୨୦୮୦ ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି। ଏଥିରୁ ୧୯୪୪ଟି ନିୟମିତ ପଦବୀ ଥିବାବେଳେ ୧୩୬ ଟି ପଦବୀ ଆଉଟସୋର୍ସିଙ୍ଗ ଭିତ୍ତିରେ ସୃଷ୍ଟି କରାଯାଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ OISF ରେ ଗୋଟିଏ ବାଟାଲିୟନ୍ କାର୍ଯ୍ୟରତ ଥିଲା । ଏହାର ସମୁଦାୟ ପଦବୀ ସଂଖ୍ୟା ୧୮୦୭ ଥିଲା । ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଏପ୍ରିଲ ମାସରେ ଗୋଟିଏ ନୂଆ ବାଟାଲିୟନ୍ ସୃଷ୍ଟି କରିଥିଲେ । ଏହାଦ୍ୱାରା ସମୁଦାୟ ୨ଟି ବାଟାଲିୟନ୍ କାର୍ଯ୍ୟ କରୁଥିଲା ଏବଂ ଏହି ୨ଟି ବାଟାଲିୟନ୍ ର ପଦବୀ ସଂଖ୍ୟା ୨୮୪୭ ଥିଲା । ତୃତୀୟ ଓ ଚତୁର୍ଥ ବାଟାଲିୟନ୍ ସୃଷ୍ଟି ହେବା ପରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ ରେ ସମୁଦାୟ ପଦବୀ ସଂଖ୍ୟା ୪୯୨୭ ପଦବୀ ସୃଷ୍ଟି ହେଲା । ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରି ପଦକ୍ଷେପ ନେଉଛନ୍ତି । ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ହେବା ସହିତ ଆଗାମୀ ଦିନରେ ଏହି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି । ଉତ୍କର୍ଷ ଓଡ଼ିଶା-ମେକ୍ ଇନ ଓଡ଼ିଶା ୨୦୨୫ ପରେ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ତେଣୁ ଶିଳ୍ପ ପ୍ରତିଷ୍ଠାନ ଓ ବାଣିଜ୍ୟିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକର ସୁରକ୍ଷା ଜରୁରୀ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମାଝୀ ଆହୁରି ଦୁଇଟି ବାଟାଲିଅନ ଗଠନକୁ ମଞ୍ଜୁରୀ ଦେଇଛନ୍ତି ।
ନିଯୁକ୍ତି ପାଇବେ ୨୫୬ ହାବିଲଦାର ଓ ୧୩୫୦ କନଷ୍ଟେବଳ; ମୋହନ ସରକାର
