Nababharat News

ପଟ୍ଟନାୟକ ବନ୍ଧ ପ୍ରକଳ୍ପରେ ୫୫,୬୯ ଲକ୍ଷ ଟଙ୍କା ହେରଫେର; ୩ ଗିରଫ

ଗଜପତି: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦୁଇ ଜଣ ଯନ୍ତ୍ରୀଙ୍କ ସମେତ ଜଣେ ଘରୋଇ ଠିକାଦାରଙ୍କୁ ଏକକାଳୀନ ଗିରଫ କରିଛି । ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ “ପଟ୍ଟନାୟକ ବନ୍ଧ ପୁନରୁଦ୍ଧାର ଏବଂ ନବୀକରଣ” ପ୍ରକଳ୍ପ ପାଇଁ ଆସିଥିବା ଟଙ୍କାରୁ ୫୫ ଲକ୍ଷ ୬୯ ହଜାର ଟଙ୍କା ହେରଫେର କରିବା ଅଭିଯୋଗରେ ଭିଜିଲାନ୍ସ ପୂର୍ବତନ ଯନ୍ତ୍ରୀ ଡି. ଯୁଧିଷ୍ଠିର, ପୌର ଯନ୍ତ୍ରୀ ସଞ୍ଜିବ ଚମ୍ପତି ଏବଂ ଠିକାଦାର ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରିଛି । ୨୦୧୯ ରୁ ୨୦୨୨ ମଧ୍ୟରେ “ପଟ୍ଟନାୟକ ବନ୍ଧ ପୁନରୁଦ୍ଧାର ଏବଂ ନବୀକରଣ” ପ୍ରକଳ୍ପ ପାଇଁ ୧ କୋଟି ୨୨ ଲକ୍ଷ ୪୦ ହଜାର ୭୦୦ ଟଙ୍କା ଆବଣ୍ଟନ କରାଯାଇଥିଲା । କିନ୍ତୁ ଅଧିକାରୀମାନେ ପ୍ରକଳ୍ପ କାମ କରିବା ବଦଳରେ ନିଜ ପକେଟକୁ ନେବା ଆରମ୍ଭ କରିଥିଲେ । ନିମ୍ନମାନ କାମ କରି ପୂର୍ବତନ ଜେଇ. ଡି. ଯୁଧିଷ୍ଟିର ସରକାରୀ ମାପ ପୁସ୍ତକରେ ଜାଣିଶୁଣି ମିଥ୍ୟା ଏଣ୍ଟ୍ରି କରି ରେକର୍ଡ ପ୍ରସ୍ତୁତ କରିଥିଲେ । ସେହିପରି ପୌର ଯନ୍ତ୍ରୀ ସଞ୍ଜୀବ ଚମ୍ପତି ଜାଣିଶୁଣି ସରକାରୀ ମାପ ଯାଞ୍ଚ ସମୟରେ ମିଥ୍ୟା ମାପକୁ “ସଠିକ” ଦର୍ଶାଇ ତାହାକୁ ଅନୁମୋଦନ କରିଥିଲେ । ସମସ୍ତ ହେରଫେର କରି ବିଲ୍ ପୈଠ କରି ପ୍ରକଳ୍ପ ବାବଦକୁ ଆସିଥିବା ମୋଟ ୧ କୋଟି ୨୨ ଲକ୍ଷ ୪୦ ହଜାର ୭୦୦ ଟଙ୍କାକୁ ଠିକାଦାର ସୁରେନ୍ଦ୍ର ପାଣିଗ୍ରାହୀଙ୍କ ବ୍ୟାଙ୍କ ଖାତାକୁ ପଠାଇ ଯାଇଥିଲା । ତିନି ଜଣ ମିଳିମିଶି ମୋଟ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କା ହଡ଼ପ କରିଥିବା ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ହୋଇଛି । ତିନି ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।

Exit mobile version