Nababharat News

ବାଲିଘାଟରେ ମାଇନିଂ ଅଫିସରଙ୍କୁ ବାଲିମାଫିଆଙ୍କ ଆକ୍ରମଣ

ବାଲେଶ୍ୱର: ଜଳେଶ୍ୱର ଜୁନିୟର ମାଇନିଂ ଅଫିସର ଓ ବସ୍ତା ଜୁନିୟର ମାଇନିଂ ଅଫିସରଙ୍କ ମିଳିତ ଚଢ଼ାଉ ବେଳେ ଆକ୍ରମଣ କଲେ ବାଲିମାଫିଆ । ଆକ୍ରମଣ ସହ ଜୀବନରୁ ମାରିଦେବାକୁ ଧମକ ଦେଲେ । ଏ ନେଇ ମାଇନିଂ ବିଭାଗ ପକ୍ଷରୁ ଜଳେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । 

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧିନସ୍ଥ ସୁବର୍ଣ୍ଣରେଖା ନଦୀରେ ପ୍ରତ୍ୟକ ଦିନ ମାଫିଆ ମାନେ ମେସିନ ଲଗାଇ ହଜାର ହଜାର ଟ୍ରିପ୍ ବାଲି ଉତ୍ତୋଳନ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରି ଆସୁଥିଲେ । ମାଇନିଂ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ତେବେ ଗୁରୁବାର ବିଳମ୍ବିତ ରାତିରେ ଚାଲନ୍ତି ଠାରେ ମାଫିଆ ମାନେ ମେସିନ ଲଗାଇ ବାଲି ଉତ୍ତୋଳନ କରୁଥିବା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ଜୁନିୟର ମାଇନିଂ ଅଫିସର ଜିତେନ୍ଦ୍ର କୁମାର ଦାସ ଓ ବସ୍ତା ମାଇନିଂ ଅଫିସର ଚିନ୍ମୟ ଜେନା ମିଳିତ ଭାବରେ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲେ । ମାତ୍ର ଚଢ଼ାଉ ଖବର ପାଇ ମାଫିଆ ମାନେ ଜେସିବି ମେସିନ ଓ ହାଇୱା ନେଇ ଛୁ ମାରିଥିଲେ । ମାତ୍ର ମାଇନିଂ ଗାଡି କିଛି ନପାଇ ଫେରିବା ସମୟରେ ମିଟୁ ସାହୁ ନାମକ ବାଲି ମାଫିଆ ଗାଡି ଅଟକାଇଥିଲେ । ଏହି ସମୟରେ ଏକାଧିକ ବାଲି ମାଫିଆ ମିଳିତ ଭାବରେ ତାଙ୍କୁ ଆକ୍ରମଣ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ଖବର ପାଇ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଇନିଂ ଅଫିସରଙ୍କୁ ଉଦ୍ଧାର କରିଥିଲେ । ନ୍ୟାୟ ପାଇଁ ମାଇନିଂ ବିଭାଗ ପକ୍ଷରୁ ଜଳେଶ୍ୱର ଥାନାରେ ଅଭିଯୋଗ କରାଯାଇଛି । ଜଳେଶ୍ୱର ପୋଲିସ ଅଭିଯୋଗ ପାଇ ତଦନ୍ତ ଜାରି ରଖିଛି ।

Exit mobile version