Nababharat News

ଜନ୍ମଦିନରେ ଜୁଇରେ ଜଳିଲେ ରାୟଗଡ଼ା ମାଟିର ପୁଅ ଭି. ତେଜା

ରାୟଗଡ଼ା: ଜନ୍ମଦିନରେ ଜୁଇରେ ଜଳିଛନ୍ତି ଆସାମ ରାଇଫଲ୍ସର ଯବାନ ତଥା ରାୟଗଡ଼ା ମାଟିର ପୁଅ ଭି. ତେଜା। ଅକ୍ଟୋବର ୫ ତାରିଖରେ ନାଗାଲାଣ୍ଡରେ କାର୍ଯ୍ୟରତ ଥିବା ବେଳେ ଆତଙ୍କବାଦୀଙ୍କ ଗୁଳିରେ ସେ ସହିଦ ହୋଇଥିଲେ । ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ାରେ ପହଞ୍ଚିଥିଲା ସହିଦ ଭି. ତେଜାଙ୍କ ପାର୍ଥିବ ଶରୀର। ଶତାଧିକ ଲୋକ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଆଜି ସକାଳେ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଓ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ସମେତ ଆହୁରି ଅନେକ ଲୋକ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଗାର୍ଡ ଅଫ୍ ଅନର ଦିଆଯିବା ପରେ ସିରିଗୁଡ଼ା ସ୍ଥିତ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି। ସୂଚନା ଥାଉ ଯେ, ରାୟଗଡ଼ା ସହରର କତୁର ଅଞ୍ଚଳର ଭି. ତେଜା ୨୦୨୨ ମସିହାରେ ଆସାମ ରାଇଫଲ୍ସରେ ସାମିଲ ହୋଇଥିଲେ। ୧୯୯୫ ମସିହା ଅକ୍ଟୋବର ମାସ ୭ ତାରିଖରେ ଜନ୍ମ ହୋଇଥିଲେ ଭି. ତେଜା। ତାଙ୍କର ବିବାହ ଠିକ୍ ହୋଇଯାଇଥିଲା। ଆସନ୍ତା ଡିସେମ୍ବର ୧୦ ତାରିଖରେ ସେ ବାହା ହୋଇଥାଆନ୍ତେ। ଘରେ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ତାଙ୍କ ଛୁଟି ମଞ୍ଜୁର ହୋଇସାରିଥିଲା। ତାଙ୍କୁ ୫୦ ଦିନ ଛୁଟି ମିଳିଥିଲା। ସେ ଦୀପାବଳିରେ ଘରକୁ ଆସିଥା’ନ୍ତେ। ଦୁଇ ବର୍ଷ ତଳେ ଅଙ୍ଗଦାନ ପାଇଁ ଘୋଷଣାପତ୍ରରେ ସ୍ୱାକ୍ଷର କରିଥିଲେ ଭି. ତେଜା। ତାଙ୍କ ଇଚ୍ଛା ଅନୁଯାୟୀ ମୃତ୍ୟୁ ପରେ ତାଙ୍କ କିଛି ଅଙ୍ଗକୁ ନାଗାଲାଣ୍ଡର ଏକ ଡାକ୍ତରଖାନାରେ ସଂରକ୍ଷିତ କରି ରଖାଯାଇଛି ବୋଲି ତାଙ୍କ ସାନ ଭାଇ ସୂଚନା ଦେଇଛନ୍ତି।

Exit mobile version