Nababharat News

ମାନସ ମଙ୍ଗରାଜଙ୍କୁ  ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ  ପର୍ଯ୍ୟବେକ୍ଷକ ଦାୟିତ୍ଵ 

ଭୁବନେଶ୍ଵର: ସାଧାରଣ  ନିର୍ବାଚନ ୨୦୨୪ ପୂର୍ବରୁ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ତାଲିକାରେ ସାମାନ୍ୟ ଅଦଳବଦଳ ହୋଇଛି । ବର୍ତ୍ତମାନ ସ୍ଥିତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ରାଜ୍ୟସଭା ସାଂସଦ ତଥା ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ।

ଶ୍ରୀ ମଙ୍ଗରାଜ ବ୍ରହ୍ମପୁର ଲୋକସଭା ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ସହ ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ସମ୍ଭାଳିବେ । ଏହି ଦାୟିତ୍ୱକୁ ସେ ଚାଲେଂଜ ଭାବେ ଗ୍ରହଣ କରିବା ସହ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ରଖିଥିବା ଭରସାକୁ ନିଶ୍ଚିତ ସାକାର କରିବେ ବୋଲି କହିଛନ୍ତି ।

ସେହିଭଳି ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର ଓ ରେଙ୍ଗାଲି ବିଧାନସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ କରାଯାଇଥିବା ବେଳେ ଅମରେଶ ଜେନାଙ୍କ ଜାଗାରେ ଗୌତମବୁଦ୍ଧ ଦାସଙ୍କୁ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ଅମରେଶଙ୍କୁ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ।

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଦଳ ପକ୍ଷରୁ ଏ ନେଇ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି।

ସୂଚନାଥାଉକି, ସମ୍ବଲପୁର ଲୋକସଭା ଆସନରୁ ଏଥର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଢ଼ିବା ନିଶ୍ଚିତ ଜଣାପଡୁଥିବାରୁ ଏହି ଆସନର ଗୁରୁତ୍ୱ ବଢ଼ିଯାଇଛି । ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ ଏଠାରୁ ବିଜୟୀ ହୋଇଥିଲେ ।

Exit mobile version