Nababharat News

ରାଜ୍ୟ ସରକାରଙ୍କୁ ତୃତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ ଲିଙ୍ଗରାଜ ମନ୍ଦିର ସତ୍ତ୍ୱଲିପି କମିଟି

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ସତ୍ତ୍ୱଲିପି କମିଟି ପକ୍ଷରୁ ଜଷ୍ଟିସ୍ ଡ. ଦୁର୍ଗା ପ୍ରସନ୍ନ ଚୌଧୁରୀ ରାଜ୍ୟ ସରକାରଙ୍କୁ ତୃତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି । ଶୁକ୍ରବାର ବିଭାଗୀୟ ମନ୍ତ୍ରୀଙ୍କୁ ଏହି ରିପୋର୍ଟ ହସ୍ତାନ୍ତର କରାଯାଇଛି। ଆସନ୍ତା ୪ରୁ ୫ ମାସ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ ହେବ ବୋଲି ଆଶା ପ୍ରକାଶ କରାଯାଇଛି । ଏହି ରିପୋର୍ଟରେ ମନ୍ଦିରର ବିଭିନ୍ନ ସେବା, ପାଳି ଓ ନୀତିକାନ୍ତି ସମେତ ମନ୍ଦିରର ବର୍ତ୍ତମାନର ସ୍ଥିତି ଏବଂ ଏହାର ସୁଧାର ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ମତାମତ ଦିଆଯାଇଛି। ବିଶେଷକରି ମନ୍ଦିରର ଦୂରାବସ୍ଥାର ସମାଧାନ କରିବା ସହ ଗର୍ଭଗୃହ ଏବଂ ଅନ୍ୟାନ୍ୟ ଅଂଶର ସଂରକ୍ଷଣ ଓ ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଏଏସ୍ଆଇ ଏବଂ ଅନ୍ୟ ସମ୍ପୃକ୍ତ ସଂସ୍ଥାଗୁଡ଼ିକ କିପରି ମନ୍ଦିରର ବିଭିନ୍ନ ଅଂଶର ଉନ୍ନତି ଓ ସଂରକ୍ଷଣ କାର୍ଯ୍ୟକୁ ଅଧିକ ସୂଚାରୁ ଭାବେ କରିପାରିବେ, ସେନେଇ ରିପୋର୍ଟରେ ପ୍ରସ୍ତାବ ରହିଛି। ଏହାଦ୍ୱାରା ମନ୍ଦିରର ସଂରକ୍ଷଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ବ୍ୟବସ୍ଥାରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ଶ୍ରୀଲିଙ୍ଗରାଜ ମନ୍ଦିରର ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ଆବଶ୍ୟକ ବୋଲି ଜଷ୍ଟିସ୍ ଡ. ଚୌଧୁରୀ ମତ ଦେଇଛନ୍ତି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଯେପରି ସ୍ୱତନ୍ତ୍ର ଆଇନ ରହିଛି, ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଆଇନ ଆଣିବାକୁ କମିଟି ପ୍ରଥମରୁ ହିଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିବା ସେ କହିଛନ୍ତି।

Exit mobile version