ଭୁବନେଶ୍ୱର: ଗତକାଲି(ବୁଧବାର) ଜଣେ ୪ ବର୍ଷ ଶିଶୁକନ୍ୟାର ଫୁସଫୁସ ଭିତରେ ଅଟକି ରହିଥିବା ଏକ କ୍ଷୁଦ୍ର ଧାତବ LED ବଲ୍ବକୁ ଅପରେସନ୍ ନକରି ଅତ୍ୟାଧୁନିକ ‘ହାଇବ୍ରିଡ୍ ବ୍ରୋଙ୍କୋସ୍କୋପି’ ପଦ୍ଧତିରେ ସଫଳତାର ସହ ବାହାର କରିଛନ୍ତି KIMS ର ଡାକ୍ତରୀ ଦଳ । ଖବର ଅନୁଯାୟୀ, ଶିଶୁଟି ଖେଳୁଥିବା ବେଳେ ଭୁଲବଶତଃ LED ବଲ୍ଟି ଶ୍ୱାସନଳୀ ଦେଇ ଫୁସଫୁସ ଭିତରକୁ ଚାଲିଯାଇଥିଲା । ଅନ୍ୟ ଏକ ହସ୍ପିଟାଲରେ ଏହାକୁ ବାହାର କରିବାରେ ବିଫଳ ହେବା ପରେ, ଶିଶୁଟିକୁ KIMS ଅଣାଯାଇଥିଲା । CT ସ୍କାନରେ ବଲ୍ବିଟି ଡାହାଣ ଫୁସଫୁସର ତଳ ଭାଗର ଏକ ସରୁ ଶ୍ୱାସନଳୀରେ ଅଟକି ରହିଥିବା ଜଣାପଡ଼ିଥିଲା । ଏଭଳି ସ୍ଥିତିରେ ଅପରେସନ୍ର ଆବଶ୍ୟକତା ପଡିଥିବାବେଳେ KIMSର ENT, ଶ୍ୱାସରୋଗ ଓ ଆନେସ୍ଥେସିଆ ବିଶେଷଜ୍ଞଙ୍କ ମିଳିତ ଟିମ୍ ରିଜିଡ୍ ଓ ଫ୍ଲେକ୍ସିବଲ୍ ବ୍ରୋଙ୍କୋସ୍କୋପକୁ ଏକାସାଙ୍ଗରେ ବ୍ୟବହାର କରି ସଫଳତାର ସହ LED ବଲ୍ବଟିକୁ ବାହାର କରିଥିଲେ । ଏହି ଜଟିଳ ପ୍ରକ୍ରିୟାର ନେତୃତ୍ୱ ନେଇଥିଲେ ENT ବିଭାଗର ପ୍ରଫେସର ଡା. ପ୍ରଦୀପ୍ତ ରଞ୍ଜନ ସାହୁ ଓ ସହକାରୀ ପ୍ରଫେସର ଡା. ମନୀଷା ମଲ୍ଲିକ । ସେମାନଙ୍କ ସହ ଆନେସ୍ଥେସିଆ ବିଭାଗର ଡା.ବସନ୍ତ କୁମାର ବେହେରା ଏବଂ ଶ୍ୱାସରୋଗ ବିଶେଷଜ୍ଞ ଡା. ସ୍ୱଦୀପ ମିଶ୍ର ମଧ୍ୟ ସାମିଲ ଥିଲେ । ଶିଶୁଟି ଏବେ ସୁସ୍ଥ ଅଛି |
ଚାରି ବର୍ଷର ଶିଶୁର ଫୁସଫୁସରୁ ବାହାରିଲା LED ବଲ୍ବ
