କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟରେ ଦେଖଦେଇଥିଲା ଏକ ଅଭାବନୀୟ ଘଟଣା । ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ବିଦ୍ୟାଳୟର ଅନ୍ଧାର କୋଠରୀ ଭିତରେ ରାତି କାଟିଥିଲା । ଶେଷରେ ଆସିବାକୁ ଚେଷ୍ଟା କରିବା ବେଳେ ଝରକାରେ ଫସି ରାତି ସାରା ଝୁଲି ରହିଥିଲା ।
ମିଳିଥିବା ଖବର ମୁତାବକ, ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟ ଛୁଟି ହେବା ପରେ ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ସ୍କୁଲ ଭିତରେ ରହିଯାଇଥିଲା । ଶିକ୍ଷକମାନେ ଭଲ ଭାବରେ ଯାଞ୍ଚ ନକରି ଅତି ବେପରୁଆ ଭାବରେ ତାଲା ପକାଇ ଚାଲିଯାଇଥିଲେ । ଫଳରେ ଛାତ୍ରୀ ରାତି ସାରା ବିଦ୍ୟାଳୟ ଭିତରେ ଅଟକି ରହିଥିଲା । ନିଜେ ଝରକାବାଟେ ଆସିବାକୁ ଚେଷ୍ଟା କରୁଥିବାବେଳେ ଝରକାରେ ମୁଣ୍ଡ ଅଟକି ଯାଇଥିଲା । ଛାତ୍ରୀଟି ରାତି ସାରା ଝରକାରେ ଝୁଲି ରହିଥିଲା । ସେପଟେ ପରିବାର ଲୋକେ ଝିଅକୁ ସାରା ରାତି ବିଭିନ୍ନ ସ୍ଥାନରେ ଖୋଜି ପାଇ ନ ଥିଲେ । ଆଜି ସକାଳେ ସ୍କୁଲରେ ଛାତ୍ରୀଙ୍କୁ ଖୋଜିବା ପାଇଁ ବାପା ମାଆ ପାଚିକାଙ୍କୁ ଚାବି ମାଗିଥିଲେ । ସ୍କଲ ଖୋଲିବା ପରେ କୋମଳମତି ଶିଶୁଟି ଝରକାରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ପ୍ରାୟ ୧୭ ଘଣ୍ଟା ପରେ ଛାତ୍ରୀଟିକୁ ଉଦ୍ଧାର କରାଯାଇଛି । ଝିଅକୁ ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତମାନ ଝିଅ ଟି ସୁସ୍ଥ ଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଖବର ମିଳିଛି । ତେବେ ଶିକ୍ଷକଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେମିତି ଭଲଭାବରେ ଯାଞ୍ଚ ନ କରି ତାଲା ପକାଇ ଦେଲେ ତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
ଶିକ୍ଷକଙ୍କ ଦାୟିତ୍ୱହୀନତା, ସାରା ରାତି ବିଦ୍ୟାଳୟରେ ରହିଲା ଦ୍ଵିତୀୟ ଶ୍ରେଣୀ ଛାତ୍ରୀ
