ଭୁବନେଶ୍ୱର: ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଠାରୁ କାଶୀ ବିଶ୍ଵନାଥ ଧାମକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପ୍ରଥମ ଟ୍ରେନର ଯାତ୍ରା ମଙ୍ଗଳମୟ ହେଉ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି । ୬ଟି ଜିଲ୍ଲାରୁ ୭୭୫ ଜଣ ବରିଷ୍ଠ ନାଗରିକମାନେ ଅଯୋଧ୍ୟାରେ ସନାତନ ଧର୍ମର ପ୍ରାଣକେନ୍ଦ୍ର ତଥା ଭାରତୀୟ ସଂସ୍କୃତିର ପ୍ରତୀକ ପ୍ରଭୁ ଶ୍ରୀ ରାମଲାଲଙ୍କୁ ଦର୍ଶନ କରିବାର ସୁଯୋଗ ପାଇବା ସହ ଭାରତର ପ୍ରସିଦ୍ଧ ଶୈବପୀଠ କାଶୀ ବିଶ୍ଵନାଥ ମନ୍ଦିର ସହ ପବିତ୍ର ଗଙ୍ଗା ଆରତୀ ଓ ଗଙ୍ଗା ଘାଟରେ ଥିବା ମନ୍ଦିରଗୁଡିକୁ ପରିଦର୍ଶନ କରିପାରିବେ । ୨୦୨୫ – ୨୬ ଆର୍ଥିକ ବର୍ଷରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଅଧୀନରେ ୧୦ ଟି ପର୍ଯ୍ୟାୟରେ ପ୍ରାୟ ୮୦୦୦ ବରିଷ୍ଠ ନାଗରିକମାନଙ୍କୁ ଭାରତର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରିବାର ସୁଯୋଗ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତବ୍ୟକ୍ତ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ ବୁଧବାର ଦିନ ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଇଣ୍ଡିଆନ ରେଲୱେ କ୍ୟାଟରିଙ୍ଗ, ଟୁରିଜିମ କର୍ପୋରେସନ (IRCTC) ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ସହଭାଗିତାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପ୍ରଥମ ଟ୍ରେନ ବୁଧବାର ଦିନ ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ଅଯୋଧ୍ୟା – ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଏହି ଯାତ୍ରାରେ ଖୋର୍ଦ୍ଧା ଜିଲ୍ଲାରୁ ୧୬୯ ଜଣ, ପୁରୀରୁ ୧୨୭ ଜଣ, କଟକରୁ ୧୯୭ଜଣ, ଜଗତସିଂହପୁର ୮୫ଜଣ, କେନ୍ଦ୍ରାପଡ଼ାରୁ ୮୯ଜଣ, ଢେଙ୍କାନାଳରୁ ୧୦୮ ଜଣ ପ୍ରମୁଖ ୭୭୫ଜଣ ବରିଷ୍ଠ ନାଗରିକଙ୍କ ସହ ୨୫ ଜଣ ସହାୟକ (ଏସ୍କର୍ଟ) ଅଧିକାରୀ ଭୁବନେଶ୍ୱର ରେଳ ଷ୍ଟେସନରୁ କେନ୍ଦ୍ର ସରକାରଙ୍କ ଭାରତ ଗର୍ବ ଟ୍ରେନରେ ଅଯୋଧ୍ୟା – ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପ୍ରଥମ ଟ୍ରେନର ଶୁଭାରମ୍ଭ
