Nababharat News

ଗୁରୁ ଦିବସରେ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ତିନି ଛାତ୍ରୀ ଆହତ

ଭଦ୍ରକ: ଭଦ୍ରକ ବାସୁଦେବପୁର ବ୍ଲକ୍ କିସ୍ମତ କୃଷ୍ଣପୁର ପଞ୍ଚାୟତର ବହୁମାଘେରି ସରକାରୀ ବିଦ୍ୟାଳୟରେ ଘଟିଛି ଅଘଟଣ । ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସିବାରୁ ୩ ଛାତ୍ରୀ ଆହତ ହୋଇଛନ୍ତି । ଆହତ ଛାତ୍ରୀଙ୍କୁ ଶିକ୍ଷକ ଓ ଅଭିଭାବକ ନେଇ ବାସୁଦେବପୁର ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି । ଅଘଟଣ ନେଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଶାନ୍ତ ମାଝୀ କହିଛନ୍ତି, ଏହା ଦୁଃଖଦ ଘଟଣା । ଏଥିପାଇଁ ପ୍ରଶାସନ ଦାୟୀ ରହିବ । ଆଜି ପିଲାଙ୍କର କିଛି ହୋଇଥିଲେ ମୋତେ ଗିରଫ କରାଯାଇଥାନ୍ତା । ବିଦ୍ୟାଳୟ କୋଠା ଅସୁରକ୍ଷିତ ହୋଇ ପଡ଼ିଥିବା ବେଳେ ପିଲାର ଦୁର୍ବଳ ହୋଇ ଯାଇଛି । ଛାତରୁ ପାଣି ଗଳୁଛି, ରଡ୍ ଦେଖା ଯାଉଛି । କୋଠାର ଅବସ୍ଥା ନେଇ ବିଇଓଙ୍କ ଠାରୁ ଡିଇଓ ସମସ୍ତଙ୍କୁ ପୂର୍ବରୁ ଅବଗତ କରାଇଥିବା କହିଛନ୍ତି ପ୍ରଧାନଶିକ୍ଷକ ।
ପ୍ଲାଷ୍ଟର ଖସିବା ପରେ ଅଭିଭାବକଙ୍କ ଅସନ୍ତୋଷ ତେଜିଛି । ବାରମ୍ବାର ଅଭିଯୋଗ ପରେ ବି କୋଠା ମରାମତି ହେଉ ନାହିଁ । ଏଥିପାଇଁ ପ୍ରଶାସନକୁ ଲୋକେ ଦାୟୀ କରିଛନ୍ତି । ଆଜି ପ୍ଲାଷ୍ଟର ଖସିବା ପରେ ନୂଆ କୋଠା ନ ହେବା ପର୍ଯ୍ୟନ୍ତ ପିଲାଙ୍କୁ ଆଉ ପାଠ ପଢ଼ିବାକୁ ଛାଡ଼ିବେ ନାହିଁ ବୋଲି କହିଛନ୍ତି ଅଭିଭାବକ । ତେବେ ଏନେଇ ବ୍ଲକ ଶିକ୍ଷା ଅଧିକାରୀ କିମ୍ବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ବହୁମାଘେରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକାରୁ ନେଇ ପଞ୍ଚମ ଶ୍ରେଣୀ ରହିଛି । ଏଠାରେ ୩୧ ଜଣ ପିଲା ପାଠ ପଢ଼ୁଛନ୍ତି । ଆଜି ଘଟିଥିବା ଅଘଟଣରେ ୨ ଜଣ ଶିଶୁ ବାଟିକା ଛାତ୍ରୀଙ୍କ ସହ ଦ୍ଵିତୀୟ ଶ୍ରେଣୀର ଜଣେ ଛାତ୍ରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Exit mobile version