Nababharat News

ଶକ୍ତିଶ୍ରୀ : ଶକ୍ତିଶ୍ରୀ ସଂଯୋଜିକା ଓ ଶକ୍ତିଅପାଙ୍କୁ ମନୋନୀତ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ “ଶକ୍ତିଶ୍ରୀ କାର୍ଯ୍ୟକ୍ରମ”କୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଗତ ଜୁଲାଇ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ସମ୍ବନ୍ଧରେ ଘୋଷଣା କରିଥିଲେ। ଶକ୍ତିଶ୍ରୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଏକ ସ୍ଥାୟୀ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସ୍ଥାପନ କରାଯିବ ଯାହାକି ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିବା ସହିତ ଛାତ୍ରୀମାନଙ୍କର ସଶକ୍ତିକରଣ ଓ ସର୍ବାଙ୍ଗୀନ ବିକାଶ ଦିଗରେ କାର୍ଯ୍ୟ କରିବ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ସୁପରିଚାଳନା ପାଇଁ ଜଣେ ଛାତ୍ରୀ “ଶକ୍ତିଶ୍ରୀ ସାଥୀ” ଓ ଜଣେ ଅଧ୍ୟାପିକା “ଶକ୍ତିଶ୍ରୀ ସଂଯୋଜିକା” ଭାବରେ କାର୍ଯ୍ୟ କରିବେ। ଏଥିସହ ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହୋଇଥିବା ୫ଜଣ ମହିଳା “ଶକ୍ତି ଅପା” ଭାବରେ ଛାତ୍ରୀମାନଙ୍କ ପାଇଁ ମେଣ୍ଟର ଭଳି କାର୍ଯ୍ୟ କରିବେ।

ଏହି ପରିପ୍ରେକ୍ଷୀରେ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର କାର୍ଯ୍ୟକାରିତା ପାଇଁ ପ୍ରତ୍ୟେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଜଣେ ମହିଳା ଅଧ୍ୟାପିକାଙ୍କୁ “ଶକ୍ତିଶ୍ରୀ ସଂଯୋଜିକା” ଭାବେ ଚୟନ କରିବା ପାଇଁ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ତରଫରୁ ଚିଠି କରାଯାଇଛି। ଏଥିସହିତ ଅଗଷ୍ଟ ମାସ ୪ ତାରିଖ ସୁଦ୍ଧା “ଶକ୍ତିଶ୍ରୀ ସଂଯୋଜିକା”ଙ୍କୁ ଚୟନିତ କରି ତାଙ୍କୁ ଦାୟିତ୍ୱ ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Exit mobile version